କେଉଁଠି ପଞ୍ଜିକରଣ ସମସ୍ୟା ତ ଆଉ କେଉଁଠି କଟନିଛଟନି । ଏପରି ସ୍ଥିତିରେ ଦୁର୍ଦ୍ଦିନରେ ପଡି ରାଜରାସ୍ତାକୁ ଓହ୍ଲାଉଛି ଚାଷୀ। ମିଲରଙ୍କ ମନମାନି ଯୋଗୁ ସବୁ ସମୟରେ ଚାଷୀ ନିଜ ପ୍ରାପ୍ୟ ପାଇବାକୁ ବଞ୍ଚିତ ହେଉଥିବା ଅଭିଯୋଗ ବଢିବାରେ ଲାଗୁଛି । ହେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ମିଲର ପ୍ରେମ ଛାଡ଼ିବାର ନାଁ ନେଉନି । ଅମଳ ସରିଥିବାରୁ ଆସନ୍ତା ୨୫ ତାରିଖରୁ ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିବାକୁ ଯାଉଛନ୍ତି ସରକାର । ହେଲେ ମଣ୍ଡି ଖୋଲିବା ପୂର୍ବରୁ ହିଁ ମିଲରମାନଙ୍କୁ କ୍ଲିନ ଚିଟ ଦେଇଛନ୍ତି ସମବାୟ ମନ୍ତ୍ରୀ । ମିଲର କେଉଁଠି ବି ହଇରାଣ କରୁ ନାହାନ୍ତି ବୋଲି ବୟାନ ଦେଇ ମନ୍ତ୍ରୀ ସାଜିଛନ୍ତି ମିଲରଙ୍କ ଓକିଲ ।
ଏଯାଏଁ କଟନିଛଟନି ବନ୍ଦ ହୋଇପାରିନି । ଧାନ ପଡ଼ି ପଡ଼ି ନଷ୍ଟ ହେଉଛି । ହେଲେ ସମବାୟ ମନ୍ତ୍ରୀ କିପରି ମିଲରଙ୍କ ସପକ୍ଷରେ ବାହାରିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଚାଷୀଙ୍କୁ ମିଲର ହଇରାଣ କରୁଛନ୍ତି । ସମବାୟ ମନ୍ତ୍ରୀ ପ୍ରଥମେ ସବୁ ଜିଲ୍ଲା ବୁଲି ମତାମତ ଦେବାକୁ ବିଜେଡି ଦାବି କରିଛି । ଚାଷୀ ହଇରାଣ ନ ହେଉଥିଲେ କିଛି ଦିନ ତଳେ କାହିଁକି ବରଗଡ଼ରେ ଚାଷୀମାନେ ଜିଲ୍ଲାପାଳଙ୍କ ଘେରିଥିଲେ ବୋଲି ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଯେଉଁ ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ କଥା କହି ବାହାବା ନେବାକୁ ସରକାର ଚେଷ୍ଟା କରୁଛନ୍ତି, ତାହାର ବାସ୍ତବିକ ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ବିଧାନସଭାରେ ବି ଏ ପ୍ରସଙ୍ଗ ଉଠିଛି । ସମବାୟ ମନ୍ତ୍ରୀ ଯେଉଁ ପରି ଭାବେ ମିଲରଙ୍କ ଓକିଲାତି କରୁଛନ୍ତି, ତାହା ବିରୋଧୀଙ୍କ ଅଭିଯୋଗକୁ ଖୋରାକ ଯୋଗାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

