ନୀତୀଶ କୁମାର ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତାଙ୍କ ନାମ ଉପରେ ଏନଡିଏ ବୈଠକରେ ମୋହର ବାଜିଛି । ସେ ଏନଡିଏ ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି । ୧୦ମ ଥର ପାଇଁ ନୀତୀଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ବିହାରର ୧୯ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆସନ୍ତାକାଲି ପାଟନାର ଗାନ୍ଧୀ ମଇଦାନରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଜେଡିୟୁ ବୈଠକରେ ନୀତିଶଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ସେହିପରି ବିଜେପି ବୈଠକରେ ସମ୍ରାଟ ଚୌଧରୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଉପନେତା ଭାବେ ବିଜୟ ସିହ୍ନାଙ୍କ ନାମରେ ମାହର ବାଜିଥିଲା ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେତା ପୂର୍ବରୁ ନୀତୀଶ ରାଜଭବନ ପହଞ୍ଚି ଇସ୍ତଫା ଦେବେ । ଏଥିସହିତ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଏନଡିଏ ବିଧାୟକ ଦଳ ବୈଠକ ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ହୋଇଥିଲା । ସେଥିରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ନୀତୀଶ କୁମାରଙ୍କ ନୂଆ ସରକାରରେ ବିଜେପି ନେତା ସମ୍ରାଟ ଚୌଧରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ରହିବେ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ବିହାର ବିଧାନସଭାକୁ ଭଙ୍ଗ କରାଯିବ । ଆସନ୍ତାକାଲି ଦିନ ୧୧ଟାରୁ ୧୨.୩୦ ମଧ୍ୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏନଡିଏର କିଛି ନେତା ଉପସ୍ଥିତ ରହିବେ ।
ସୂତ୍ର ମୁତାବକ, ନୀତୀଶଙ୍କ କ୍ୟାବିନେଟରେ ବିଜେପିରୁ ୧୫-୧୬ ଜଣ ସ୍ଥାନ ପାଇ ପାରନ୍ତି । ସେହିପରି ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି । ଏହାଛଡ଼ା ମାଂଝୀ ଓ କୁଶଓ୍ବାହାଙ୍କୁ ୧-୧ ମନ୍ତ୍ରୀ ପଦ ମିଳିପାରେ । ଏଥର ବିଜେପି ୧୦୦ଟି ଆସନରେ ଲଢ଼ିଥିବା ବେଳେ ୮୯ଟିରେ ଜିତିଥିଲା । ଜେଡିୟୁ ୧୦୦ଟି ଆସନରେ ଲଢ଼ି ୮୫ଟିରେ ଜିତିଥିଲା । ଚିରାଗଙ୍କ ଲୋକ ଜନଶକ୍ତି ପାର୍ଟି ରାମିଳାସ ଏଥର ୨୯ଟିରେ ଲଢ଼ି ୧୯ଟିରେ ଜିତିଥିଲା । ଜୀତନ ରାମ ମାଂଝୀଙ୍କୁ ୫ଟିରେ ଓ ଉପେନ୍ଦ୍ର ୪ଟି ଆସନରେ ଜିତିଥିଲେ ।

