ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ାରେ EVM ବଦଳା ଯାଇଛି । ଗଣତିଦିନ ଭୋର ୪ଟାରେ ଇଭିଏମ ବଦଳାଇବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଦାସ । ତେଣୁ ସେ ସେଦିନର ସିସିଟିଭି ଭିଜୁଆଲ ମାଗିଛନ୍ତି । କାରଣ ବିଜେପି ସଭାରେ ଲୋକ ହେଉନଥିବାବେଳେ କେମିତି ଦଳ ୮୩ ହଜାର ଭୋଟରେ ବିଜୟୀ ହେଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହା କିପରି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅସାଧୁ ଆଚରଣ କରି ଭୋଟ ଚୋରି କରି ଉପନିର୍ବାଚନ ଜିତିଛି ବିଜେପି। ପୋଲିସ ଜରିଆରେ ବୁଥ ଏଜେଣ୍ଟ ଟଙ୍କା ଦେଇ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା । ପ୍ରଶାସନକୁ ବଦଳି ଧମକ ଦେଇ କବାଜରେ ରଖିଥିଲେ। ନୂଆପଡ଼ାରେ ବିଜେପି ପଇସାର ସୁନାମୀ କରିଥିଲା। ଏହାପରେ ଇଭିଏମ ଜରିଆରେ ଅସାଧୁ ଉପାୟରେ ଭୋଟ ନେଇଗଲେ ବୋଲି ସେ ଯୁକ୍ତି ବାଢିଛନ୍ତି । କେମିତି ୪୧ଟି ବୁଥରେ ୯୧ ପ୍ରତିଶତ ଭୋଟ ହେଲା ତାହା ବି ସନ୍ଦେହ ଘେରରେ।
ବିଜେପି ପ୍ରାର୍ଥୀ କାହିଁକି ହିମାଂଶୁ ଲାଲଙ୍କ ପାଦ ଧରି ଆଶୀର୍ବାଦ ନେଲେ ? ହଠାତ କାହିଁକି ତାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଗଲା ? ଯେହେତୁ ହିମାଂଶୁ ଲାଲ ପାଇଁ ଜୟ ଢୋଲକିଆଙ୍କ ବିଜୟ ହୋଇଛି ସେଥିପାଇଁ ଏହି ଆଶୀର୍ବାଦ ଭିକ୍ଷା ବୋଲି କଟାକ୍ଷ କରିଛନ୍ତି ଭକ୍ତ । ବିଜେପି ଓ ତାଙ୍କ ବାପାଙ୍କ ନାଁରେ ଜୟ ନିର୍ବାଚନ ଜିତିନାହାନ୍ତି । ତେଣୁ ସେ ସବୁ ଜାଣିଥିବାରୁ ହିମାଂଶୁ ଲାଲଙ୍କ ପାଦ ଧରିଲେ । ଏପରି ଅସାଧୁ ନିର୍ବାଚନ ପ୍ରକ୍ରିୟା ବିରୋଧରେ କଂଗ୍ରେସ ଆଗାମୀ ଦିନରେ ସ୍ଵର ଉଠାଇବ । ଭୋଟ ଚୋରି ପରେ ବିଜେପି ଭୋଟ ଲୁଟ କରୁଛି । ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି ବୋଲି ଭକ୍ତ ଅଭିଯୋଗ କରିଛନ୍ତି ।

