ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନରେ ପରାଜିତ ହେବା ପରେ ଏବେ ଭାରତୀୟ ଦଳର ସ୍ପିନ ଦୁର୍ବଳତା ପଦାରେ ପଡ଼ିଛି । ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ଉଠିଥିବା ବେଳେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହା ପୂର୍ବରୁ ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସମାନ ଦଶା ଭୋଗିଥିଲେ । ତେବେ ଏହି ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମୁଖ୍ୟ କୋଚୀ ଗମ୍ଭୀରଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ଶାମୀଙ୍କ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ ସପକ୍ଷରେ ମତ ଦେଇଛନ୍ତି ଗାଙ୍ଗୁଲି । ଶାମୀଙ୍କ ପରି ଜଣେ ଅଭିଜ୍ଞ ପେସରଙ୍କୁ ଟେଷ୍ଟରେ ଅଣଦେଖା କରିବା ଠିକ୍ ନୁହେଁ ବୋଲି ଦାଦା କହିଛନ୍ତି ।
ଇଡେନ ଗାର୍ଡନ୍ସ ପିଚ ଯଶପ୍ରୀତ ବୁମ୍ରା, ମହମ୍ମଦ ବୁମ୍ରା ଓ ଶାମୀଙ୍କ ପେସ ଆକ୍ରମଣକୁ ସୁହାଇଥାନ୍ତା ବୋଲି ଦାଦା କହିଛନ୍ତି । ଏହି ପିଚରୁ ଭାରତୀୟ ପେସରମାନେ ଫାଇଦା ଉଠାଇ ପାରିଥାନ୍ତେ । ଶାମୀ ଶେଷ ଥର ପାଇଁ ୨୦୨୩ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିଥିଲେ । ତା’ ପରଠାରୁ ଶାମୀ ରେଡ-ବଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ସମୟର ଆଘାତଜନିତ ସମସ୍ୟା ପରେ ଦଳକୁ ସେ ଚଳିତ ସିଜିନରେ ୪ଟି ମ୍ୟାଚରୁ ୧୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଭାରତୀୟ ଟିମ୍ ମଜବୁତ ପେସ ବାହିନୀ ପୁଣି ଗଠନ କରିବା ଆବଶ୍ୟକ । ଦଳକୁ ବୁମ୍ରା, ସିରାଜ ଓ ଶାମୀଙ୍କ ଉପରେ ଭରସା କରିବା ଉଚିତ । ଶାମୀ ଟେଷ୍ଟ ଟିମରେ ସ୍ଥାନ ପାଇବାକୁ ହକଦାର । ଶାମୀ ଓ ସ୍ପିନର୍ସ ଗମ୍ଭୀରଙ୍କୁ ଟେଷ୍ଟରେ ଜିତାଇପାରିବେ । ଏଥିସହିତ ଭାରତର ପିଚ ପ୍ରସ୍ତୁତିକୁ ନେଇ ମଧ୍ୟ ଗମ୍ଭୀରଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଗାଙ୍ଗୁଲି । ଭଲ ବ୍ୟାଟିଂ ଫାଉଣ୍ଡେସନ ବିନା ଟେଷ୍ଟରେ ଜିତିବା ଆଶା କରିବା ବୃଥା । ଭାରତ ୧୨୪ ରନ ଚେଜ କରିବାରେ ବିଫଳ ହେବା ପରେ ଏପରି ଭାବେ ସତର୍କ କରାଇଛନ୍ତି ପୂର୍ବତନ ବିସିସିଆଇ ସଭାପତି । ଯଦି ବ୍ୟାଟ୍ସମ୍ୟାନମାନେ ୩୫୦-୪୦୦ ରନ କରି ନପାରିବେ, ତେବେ ଟେଷ୍ଟରେ ଜିତିପାରିବେ ନାହିଁ ବୋଲି ଦାଦା କହିଛନ୍ତି ।

