ନନ୍ଦିଘୋଷ ବ୍ୟୁରୋ: ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର । ଶିକ୍ଷାନୁଷ୍ଠାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ୍, ହସ୍ପିଟାଲ ପରିସରକୁ କରାଯିବ ବୁଲା କୁକୁର ମୁକ୍ତଞ୍ଚଳ । ରାୟଗଡା ଜିଲ୍ଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରାଯାଇଛି । ଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ କୁକୁର କାମୁଡାରେ ପ୍ରାୟ ୭ ହଜାର ୨୮୦ ଜଣ ଶିକାର ହୋଇଛନ୍ତି । ରାସ୍ତାରେ କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଏହାକୁ ନେଇ ପଶୁପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଥମେ ବନ୍ଧ୍ୟାକରଣ ଓ ପରେ ସେମାନଙ୍କୁ ଥଇଥାନ କରିବା ପାଇଁ ସେମାନେ ଦାବି କରିଛନ୍ତି ।
ସର୍ବସାଧାରଣ ସ୍ଥାନରେ ମାଳ ମାଳ ବୁଲା କୁକୁର । ସ୍କୁଲ, କଲେଜ, ହସ୍ପିଟାଲ, ବସଷ୍ଟାଣ୍ଡ ଚାରିଆଡେ ହାଉଯାଉ । କୁକୁର କାମୁଡ଼ାରେ କିଏ ମୃତ୍ୟୁବରଣ କଲାଣି ତ କିଏ ଲହୁଲୁହାଣ ହେଲାଣି । ରାସ୍ତାରେ କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକ ଦୁର୍ଘଟଣାର ଶିକାର ହୋଇଛନ୍ତି । ରାୟଗଡ଼ା ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୭ ହଜାର ୨୮୦ ଜଣ କୁକୁର କାମୁଡାର ଶିକାର ହୋଇଛନ୍ତି । ପୂର୍ବରୁ ପୌରପରିଷଦ ପକ୍ଷରୁ ସହରକୁ ବୁଲା କୁକୁର ମୁକ୍ତ କରିବା ପାଇଁ ବାରମ୍ବାର କାଉନସିଲ ବୈଠକରେ ସଂକଳ୍ପ ପାରିତ ହୋଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ସେହିପରି କୁକୁରମାନଙ୍କୁ ବନ୍ଧ୍ୟାକରଣ ପାଇଁ ଉଦ୍ୟମ କରାଯାଇଥିବା ବେଳେ ତାହା ମଧ୍ୟ ବିଫଳ ହୋଇଥିଲା ।
କେବଳ ବୁଲା କୁକୁର କାହିଁକି, ରାସ୍ତାରେ ମାଳ ମାଳ ଗାଈ ଗୋରୁ ବୁଲୁଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବା ନଜିର ରହିଛି । କୁକୁରମାନଙ୍କ ବନ୍ଧ୍ୟାକରଣ କରିବା ପରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ ଗୋରୁମାନଙ୍କ ପାଇଁ ମଧ୍ୟ ଗୋଶାଳାମାନ ନିର୍ମାଣ କରାଯିବା ଆବଶ୍ୟକ ବୋଲି ପଶୁପ୍ରେମୀ କହିଛନ୍ତି । ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସମସ୍ତ କାର୍ଯ୍ୟ ହାତକୁ ନିଆଯିବ ବୋଲି ରାୟଗଡା ପୌରପରିଷଦ ଅଧ୍ୟକ୍ଷ କହିଛନ୍ତି ।

