ବିହାରରେ ଏନଡିଏର ସରକାର ଗଠନ ହେବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଥିବା ବେଳେ ତେଜସ୍ବୀ ଯାଦବଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ସିଟରେ କଡ଼ା ମୁକାବିଲା ଜାରି ରହିଛି । ଅସଦୁଦ୍ଦିନ ଓଓ୍ବେସୀଙ୍କ AIMIM ୪ଟି ସିଟରେ ଆଗରେ ରହିଛି, ମାତ୍ର ଏହି ଦଳ ଠାରୁ ନୋଟାକୁ ଅଧିକ ଭୋଟ ମିଳିଛି । ବିଜେପିକୁ ୨୧.୪୬ ପ୍ରତିଶତ, ଆରଜେଡିକୁ ୨୩.୦୩ ପ୍ରତିଶତ ଭୋଟ ମିଳିଛି । ନୋଟା ଅନେକ ଆଶାୟୀଙ୍କ ଖେଳ ବିଗାଡ଼ି ଦେଇଛି ।
ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି କରାଯାଇଥିବା ତଥ୍ୟ ମୁତାବକ, ଅସଦୁଦ୍ଦୀନ ଓଓ୍ବେସୀଙ୍କ ପାର୍ଟି AIMIM ୪ଟି ସିଟରେ ଆଗରେ ରହିଛି । ଏଥର ବିହାରରେ ତାଙ୍କୁ ମାତ୍ର ୧.୭୫ ପ୍ରତିଶତ ଭୋଟ ମିଳିଛି । ଏହାଠାରୁ ବହୁମାତ୍ରାରେ ଅଧିକ ଭୋଟ ନୋଟାକୁ ମିଳିଛି । ବିହାରର ୧.୮୪ ପ୍ରତିଶତ ଲୋକ ନୋଟାକୁ ଭୋଟ ଦେଇଛନ୍ତି । ଏହାର ଅର୍ଥ ହେଉଛି ୧୦ ଲକ୍ଷରୁ ଅଧିକ ଲୋକ ନୋଟାକୁ ଭୋଟ ଦେଇଛନ୍ତି । ତଥ୍ୟ ଅନୁସାରେ, ବିଜେପିକୁ ୨୧.୪୬ ପ୍ରତିଶତ, କଂଗ୍ରେସକୁ ୮.୧୩ ପ୍ରତିଶତ, ଜେଡିୟୁକୁ ୧୯.୦୪ ପ୍ରତିଶତ, ଆରଜେଡିକୁ ୨୩.୦୩ ପ୍ରତିଶତ, ଏନସିପିକୁ ୦.୦୨ ପ୍ରତିଶତ ଓ ସିପିଆଇକୁ ୦.୫୯ ପ୍ରତିଶତ ଭୋଟ ମିଳିଛି ।

