spot_img

Latest Posts

ଜାମିଆରୁ ଜେଲ୍: ଅଲ ଫଲାହ କୁଳପତିଙ୍କ ଇତିହାସ ବି ବିବାଦୀୟ

ଜାମିଆରୁ ଜେଲ୍: ଅଲ ଫଲାହ କୁଳପତିଙ୍କ ଇତିହାସ ବି ବିବାଦୀୟ

ନନ୍ଦିଘୋଷ ବ୍ୟୁରୋ: ଆରବୀ ଭାଷାରେ ଅଲ୍ ଫଲାହର ଅର୍ଥ ସଫଳତା ଓ ଖୁସି । ଯାହା ଦିଲ୍ଲୀ ବ୍ଲାଷ୍ଟ ହେବା ପର୍ଯ୍ୟନ୍ତ ଫରିଦାବାଦ ଅଲ ଫଲାହ ମେଡିକାଲ କଲେଜ ପାଇଁ ଠିକ୍ ଥିଲା । ହେଲେ ଦିଲ୍ଲୀ ଧମାକା ପରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ମାତ୍ର ୬ ବର୍ଷ ପୂର୍ବରୁ ୨୦୧୯ରେ ଅଲ ଫଲହା ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଥିଲା । ଏବେ ଏହି କଲେଜ ପାଖରେ ଏକ ସୁନ୍ଦର କ୍ୟାମ୍ପସ ରହିଛି, ଯାହା ପଢ଼ିବାକୁ ଆସୁଥିବା ଶହ ଶହ ଡାକ୍ତରଙ୍କ ପାଇଁ ଚଳଚଞ୍ଚଳ ରହୁଥିଲା । ଇଂଞ୍ଜିନିୟରିଂରେ ଏକ ଲେକ୍ଚଲର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ବିଶ୍ବବିଦ୍ୟାଳୟର କୁଳପତି ଜଓ୍ବାଦ ଅହମ୍ମଦ ସିଦ୍ଦିକି ଏବେ ଅଲ ଫଲାହ ଗ୍ରୁପ ଅଫ୍ କମ୍ପାନୀଜର ମାଲିକ । ଉପରକୁ ବହୁତ ଭଲ ମିଜାଜର ମଣିଷଟିଏ ଲାଗୁଥିବା ଏହି ବିଶ୍ବବିଦ୍ୟାଳୟର କୁଳପତି ଜଓ୍ବାଦଙ୍କ ଇତିହାସରେ ରହିଛି ବହୁତ ରହସ୍ୟ । ଆସନ୍ତୁ ଜାଣିବା ଦିଲ୍ଲୀ ବ୍ଲାଷ୍ଟ ପରେ ଏବେ ସାରା ବିଶ୍ବର ନଜରକୁ ଆସିଥିବା ଏହି ବିଶ୍ବବିଦ୍ୟାଳୟର କୁଳପତି ଜଓ୍ବାଦଙ୍କ ଇତିହାସ ।

ଶିକ୍ଷା ସଂସ୍ଥାର ନୂଆ ପରିଚୟ ଆତଙ୍କବାଦୀଙ୍କ ସଂସ୍ଥା

ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ପାଡ ପଢ଼ୁଥିବା ଛାତଛାତ୍ରୀଙ୍କ ଗୋଟିଏ ଆଶା ଥିଲା ଏକ ଭଲ ଡାକ୍ତର ହୋଇ ସମାଜରେ ନାଁ କମାଇବା ସହ ପରିବାରକୁ ସମସ୍ତ ପ୍ରକାର ସୁଖସୁବିଧା ଦେବେ । ହେଲେ ଲାଲକିଲ୍ଲା ପାଖରେ ନଭେମ୍ବର ୧୦ ତାରିଖରେ ହୋଇଥିବା i20 କାର ବ୍ଲାଷ୍ଟ ସବୁକିଛି ଓଲଟପାଲଟ କରିଦେଇଛି । ଏଥିରେ ମୃତ୍ୟୁବରଣ କରିଥିବା ନିରିହ ଲୋକଙ୍କ ଛିଟା ବି ଏହି ଅଲ୍ ଫଲାହ ବିଶ୍ବବିଦ୍ୟାଳୟ ଉପରେ ପଡିଛି । ଆଉ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏହି ବିଶ୍ବବିଦ୍ୟାଳୟକୁ ଏବେ ଲୋକେ ଆତଙ୍କବାଦୀଙ୍କ ସଂସ୍ଥା ଭାବେ ଅବିହିତ କରୁଛନ୍ତି ।

ରାତାରାତି ବଡ଼ ହେବାର ନିଶା ଦେଇଥିଲା ଜେଲର ଅନୁଭବ

ବିଶ୍ବବିଦ୍ୟାଳୟର କୁଳପତି ଜଓ୍ବାଦ ଅହମ୍ମଦର ଜନ୍ମ ୧୯୬୪ ନଭେମ୍ବର ୧୫ ତାରିଖରେ ହୋଇଥିଲା । ତା’ ପରିବାର ମଧ୍ୟପ୍ରଦେଶର ମହୁରେ ରୁହନ୍ତି । ଯାହାର ବର୍ତ୍ତମାନ ନାଁ ବାବା ସାହେବ ଆମ୍ବେଡକରଙ୍କ ନାମ ଅନୁସାରେ ଡ. ଭୀମରାଓ ଆମ୍ବେଡକର ନଗର ରହିଛି । ସେ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ବବିଦ୍ୟାଳୟରୁ ଇଣ୍ଟଷ୍ଟ୍ରିଆଲ ପ୍ରଡକ୍ଟ ଡିଜାଇନରେ ବିଟେକ କରିଛି । ପରେ ପରିବାର ସହ ମହୁ ଛାଡି ଦିଲ୍ଲୀ ଚାଲି ଆସିଥିଲା । ଜାମିଆରେ କାମ କରୁଥିବା ବେଳେ ଜଓ୍ବାଦର ଏକ ସହ ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି, ୧୯୯୩ରେ ଦିଲ୍ଲୀର ଜାମିଆ ମିଲିଆ ଇସିଲାମିଆ କଲେଜରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ଲେକ୍ଚଲର ଭାବେ କାମ ମିଳିଥିଲା । ହେଲେ ଏହି ଚାକିରି ତାକୁ ଛୋଟ ଲାଗିଥିଲା ।

ଚାକିରି ସମୟରେ ନିଜ ଭାଇ ସଉଦ ଅହମ୍ମଦ ସହ ମିଶି କିଛି କମ୍ପାନୀ ବନାଇଥିଲା । ସେଥିରୁ ଗୋଟିଏ ଥିଲା ଅଲ ଫଲାହ ଇନଭେଷ୍ଟମେଣ୍ଟ । ଏହା ସେହି କମ୍ପାନୀ ଯାହା ପାଇଁ ଜଓ୍ବାଦକୁ ନିଜ ଭାଇ ସହ ତିନି ବର୍ଷ ଜେଲ୍ ଯିବାକୁ ପଡ଼ିଥିଲା ।

ଠକେଇ ଅଭିଯୋଗରେ ଜେଲ୍

ଜାମିଆରେ କାମ କରିବା ବେଳେ ନିଜ ବ୍ୟବସାୟର ଜାଲ ସେଠାରେ ବି ଜଓ୍ବାଦ ବିସ୍ତାର କରିଥିଲା । ତା’ର କିଛି ସାଥି ବିଶ୍ବାସ କରି ତା କମ୍ପାନୀରେ ଟଙ୍କା ଲଗାଇଥିଲ । ହେଲେ ଶୀଘ୍ର ଅଲ ଫଲାହ ଇନଭେଷ୍ଟମେଣ୍ଟ ବିରୋଧରେ ଠକେଇ ଓ ଟଙ୍କା ହଡପ ପରି ଲମ୍ବା ଅଭିଯୋଗ ରହିଛି । ୨୦୦୦ ମସିହାରେ ଆର ସିଂ ନାମକ ବ୍ୟକ୍ତି ତା ବିରୋଧରେ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଏତଲା ଦେଇଥିଲେ । ମାମଲାର ତଦନ୍ତ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଥିଲା । ଉଭୟ ଭାଇଙ୍କୁ ଗିରଫ କରି ତିହାର ଜେଲକୁ ପଠାଇ ଦିଆଯାଇଥିଲା । ବେଲ ପାଇଁ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ବି ତିନି ବର୍ଷ ପର୍ଯ୍ୟନ୍ତ ଦୁଇ ଭାଇଙ୍କୁ ଜେଲର ହାଓ୍ବା ଖାଇବାକୁ ପଡିଥିଲା ।

ତିନି ବର୍ଷ ପରେ ଜାମିନ

ତିନି ବର୍ଷ ପରେ ଦିଲ୍ଲୀ ହାଇକୋର୍ଟ ସେମାନଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ । କୋର୍ଟ ତାଙ୍କ ରାୟରେ କହିଥିଲେ, ଅଭିଯୁକ୍ତଙ୍କ ବିରୋଧରେ ନିବେଶକଙ୍କ ନକଲି ଦସ୍ତଖତ କରିବାର ଯେଉଁ ଅଭିଯୋଗ ହୋଇଥିଲା ତାହା ଫରେନ୍ସିକ ସାଇନ୍ସ ଲ୍ୟାବ ରିପୋର୍ଟରେ ସ୍ପଷ୍ଟ ହୋଇଛି । ଏମିତି ନକଲି କମ୍ପାନୀ ନାଁରେ ନିବେଶକଙ୍କ ଟଙ୍କା ଜମା କରାଗଲା ଯାହା ବାସ୍ତବରେ ସ୍ଥିତିରେ ନଥିଲା । ଅଭିଯୁକ୍ତ ନିବେଶକଙ୍କ ଟଙ୍କାକୁ ହେରାଫଷରି କରି ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ । ୨୦୦୪ରେ ଜଓ୍ବାଦ ଓ ତା ଭାଇକୁ କୋର୍ଟରୁ ଜାମିନ ମିଳିଥିଲା । ଏହାର ଏକ ବର୍ଷ ପରେ ୨୦୦୫ରେ ପଟିଆଲା କୋର୍ଟ ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରାଇବା ସର୍ତ୍ତରେ ଦୁଇ ଭାଇଙ୍କୁ ଅଭିଯୋଗରେ ମୁକ୍ତ କରିଥିଲେ ।

ବିଶ୍ବବିଦ୍ୟାଳୟରେ ଅବ୍ୟବସ୍ଥା ଆରମ୍ଭ

ଅଲ ଫଲାହ ବିଶ୍ବାବିଦ୍ୟାଳୟର ଜଣେ କର୍ମଚାରୀ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି, ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ସବୁ କିଛି ଠିକ ଚାଲିଥିଲା । କମ ଦରମାରେ କାଶ୍ମୀରର ଡକ୍ଟରଙ୍କୁ ସେଠାରେ ଚାକିରି ଦିଆଯିବା ପରେ ଅବ୍ୟବସ୍ଥା ଆରମ୍ଭ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଅଲ ଫଲାହ ହସ୍ପିଟାଲ ଓ ହଷ୍ଟେଲ ଭିତରେ କାଶ୍ମୀର ଲୋକଙ୍କ ଗ୍ରୁପ ହୋଇଯାଇଥିଲା । କଲେଜ ପରିସରରେ ମାହୋଲ ଆବଶ୍ୟକ ଠାରୁ ଅଧିକ ଇସଲାମିକ ହୋଇଯାଇଥିଲା । ଏପରିକି କିଛି ଲୋକ ୫ ଥର ନମାଜ, ପର୍ଦ୍ଦା ଓ ବୁର୍ଖା ପିନ୍ଧିବା ଉପରେ ଜୋର ଦେବାକୁ ଲାଗିଥିଲେ । କୁଳପତି ଜଓ୍ବାଦ ଅହମ୍ମଦଙ୍କୁ ବି ଏ ନେଇ ଅବଗତ କରାଯାଇଥିଲା । ହେଲେ ସେ ଏହାକୁ ଅଣଦେଖା କରିଦେଇଥିଲା ।

ବିବାଦର ପାହାଡ଼

ମେଡିକାଲ କଲେଜରୁ ଡକ୍ଟର ଶାହିନ ସଇଦକୁ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗରେ ଗିରଫ କରାଯାଇଛି । ସେ ନିଜ ଚ୍ୟାମ୍ବରରେ ଯୁବତୀଙ୍କୁ ଧାର୍ମିକ କଥା ଶିଖାଉଥିଲା । ଏହାକୁ ନେଇ ତାକୁ ଆକଟ ବି କରାଯାଇଥିଲା । ସେହିପରି କାଶ୍ମୀରରୁ ଆସିଥିବା ଡାକ୍ତରମାନେ ବହୁ ସମୟରେ ଅନୁପସ୍ଥିତ ରହୁଥିବାର ବି ଅଭିଯୋଗ ହେଉଥିଲା । ଏହାବାଦ ଅଲ ଫଲାହ ସହ ଆହୁରି ବି ବିବାଦ ରହିଛି । କରୋନ ରୋଗୀଙ୍କ ଚିକିତ୍ସା କରୁଥିବା  ନର୍ସମାନେ ସେମାନଙ୍କ ପାଇଁ ଲାଇଫ ଇନସ୍ୟୁରାନ୍ସ କରିବାକୁ ଦାବି କରିବାରୁ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଗତବର୍ଷ କିଛି ମେଡିକାଲ ଇଣ୍ଟର୍ସ ଦରମା ନମିଳିବାରୁ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ସେମାନଙ୍କୁ ନିଲମ୍ବିତ କରି ଦିଆଯାଇଥିଲା ।

ଏସବୁ ସମସ୍ୟାକୁ ହୁଏତ ଜଓ୍ବାଦ ଅହମ୍ମଦ ସମ୍ଭାଳି ନେଉଥିଲେ । ହେଲେ ଦିଲ୍ଲୀ ବ୍ଲାଷ୍ଟର ତଦନ୍ତ ଏନଆଇଏକୁ ଦିଆଯିବା ପରେ ସବୁକିଛି ବଦଳି ଯାଇଛି । ଏବେ ମେଡିକାଲ କଲେଜ ସହ ଜଓ୍ବାଦ ଅହମ୍ମଦର ଜନ୍ମ କୁଣ୍ଡଳି ବି ଏନଆଇଏ ବାହାର କରିବ । ତାର ସମସ୍ତ ପୁରୁଣା ବ୍ୟବସାୟର କୁଣ୍ଡଳି ଖୋଲାଯିବ ।

Latest Posts

Don't Miss