ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଇସଲାମବାଦରେ ବଡ଼ ଧରଣର ବିସ୍ଫୋରଣ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ପାକିସ୍ତାନ ଗସ୍ତରେ ଦିନିକିଆ ସିରିଜ ଖେଳିବାକୁ ଯାଇଛି ଶ୍ରୀଲଙ୍କା । ଏହି ବିସ୍ଫୋରଣ ପରେ ଏବେ ସିଂହଳୀ କ୍ରିକେଟରମାନେ ଭୟଭୀତ ହୋଇ ଯାଇଛନ୍ତି । କିଛି ଖେଳାଳି ସ୍ବଦେଶ ଫେରିବା ଲାଗି ମନ ବଳାଇଥିବା ଜଣାପଡ଼ିଛି । ସେପଟେ ମ୍ୟାଚ ସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ସେପଟେ ସିରିଜ ମଝିରେ ଭୟରେ ୮ରୁ ୧୦ ଜଣ ଖେଳାଳି ସ୍ବଦେଶ ମଧ୍ୟ ଫେରି ଆସିଥିବା କୁହାଯାଉଛି । ତେବେ ଶ୍ରୀଲଙ୍କା ଖେଳାଳିଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପାକିସ୍ତାନ ବୋର୍ଡ ସଭାପତି ମହସିନ୍ ନକଭିଙ୍କୁ ବେଶ ବାଧିଛି । ସେ ଶ୍ରୀଲଙ୍କାର ଖେଳାଳିଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଆଜି ଅର୍ଥାତ ଗୁରୁବାର ଦ୍ବିତୀୟ ଦିନିକିଆ ଖେଳାଯାଇଥାନ୍ତା । ମାତ୍ର ଏହି ମ୍ୟାଚକୁ ଗତକାଲି ତରବରିଆ ଭାବେ ସୂଚୀରେ ପରିବର୍ତ୍ତନ କରାଯାଇଛି । ୧୫ ତାରିଖରେ ଦ୍ବିତୀୟ ମ୍ୟାଚ ଖେଳାଯିବାକୁ ରହିଛି । ଏବଂ ଶେଷ ମ୍ୟାଚଟି ୧୬ ତାରିଖରେ ଅନୁଷ୍ଠିତ ହେବ । ମାତ୍ର ଏହି ମ୍ୟାଚ ଅନୁଷ୍ଠିତ ହେବ କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ ।

