ବିଧାନସଭାକୁ ସମ୍ବୋଧିତ କରିବେ ମହାମହିମ ! ବିଧାନସଭା ଇତିହାସରେ ଯୋଡିହେବ ନୂଆଫର୍ଦ୍ଦ । ସାଉଁଟିବେ ପୁରୁଣା ସ୍ମୃତି । ବିଧାୟକଙ୍କ ମଧ୍ୟରେ ଉତ୍କଣ୍ଠା, ଖୁବଶୀଘ୍ର ଚୂଡାନ୍ତ କାର୍ଯ୍ୟସୂଚୀ। । ନଭେମ୍ବର ମାସ ଶେଷବେଳକୁ ଓଡ଼ିଶା ଆସିପାରନ୍ତି ମହାମହିମ। ସଜେଇ ହେଉଛି ବିଧାନସଭା। ବିଧାନସଭା ଭିତରେ ଓ ବାହାରେ ଚାଲିଛି ରଙ୍ଗମରା । ବିଧାନସଭାର ଶୀତ ଅଧିବେଶନକୁ ପ୍ରଥମଥର ଲାଗି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଧାନସଭାରେ ସମ୍ବୋଧିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଷ୍ଟ୍ରପତି ଆସିବାର ସମ୍ଭାବନା ରହିଛି । ଚୂଡାନ୍ତ କାର୍ଯ୍ୟସୂଚୀ ଆସିବା ପରେ ସବୁ କଥା ସ୍ପଷ୍ଟ ହେବ ।
ମହାମହିମଙ୍କ ଗସ୍ତ ସମୟରେ ବିଧାନସଭାର ପୁରୁଣା ସ୍ମୃତିକୁ ସାଉଁଟିବେ । ବରିଷ୍ଠ ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି ରାଷ୍ଟ୍ରପତି ବିଧାନସଭାକୁ ସମ୍ବୋଧିତ କରିବା ପରେ ସବୁ ବିଧାୟକଙ୍କ ପାଇଁ ଏହା ସ୍ମରଣୀୟ ଦିନ ହେବ । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ମହାମହିମ ରାଷ୍ଟ୍ରପତି ବିଧାନସଭାଙ୍କୁ ସମ୍ବୋଧିତ କରିବା ଖୁସିର କଥା l ଆମ ରାଜ୍ୟର ଝିଅ, ଆମ ରାଜ୍ୟର ବୋହୂ, ସେଥିପାଇଁ ଆମେ ଗର୍ବିତ । ମହାମହିମଙ୍କ ଓଡ଼ିଶା ଗସ୍ତକୁ ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ହେଲେ ପ୍ରସ୍ତୁତି କିନ୍ତୁ ଜୋରଦାର ହେଲାଣି ।

