ଜେଲରେ ବନ୍ଦ ଗ୍ୟାଙ୍ଗଷ୍ଟର ରାଜେଶ ମିଶ୍ରାଙ୍କ ପରିବାରର ପୂରା କୁଣ୍ଡଳି: ଘରୁ ବାହାରିଲା ଏତେ ଟଙ୍କା, ୨୨ ଘଣ୍ଟା ଗଣି ଗଣି ପୋଲିସ ହାଲିଆ
ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ପୋଲିସ ଇତିହାସରେ ପ୍ରଥମ ଘଟଣା । ଚୋରା ଚାଲାଣ ମାମଲା ଗିରଫ ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜେଶ ମିଶ୍ରା ଘରୁ ମିଳିଲା ଏତେ ଟଙ୍କା ଯେ ଗଣି ଗଣି ପୋଲିସ ହାଲିଆ ହୋଇଗଲା । ପୋଲିସକୁ ଟଙ୍କା ଗଣିବାକୁ ଲାଗିଗଲା ୨୨ ଘଣ୍ଟା । ରାଜେଶ ଘରୁ ମୋଟ ୨.୦୧ କୋଟି ଟଙ୍କା, ୬ କିଲୋ ଗଞ୍ଜେଇ, ୫୭୭ ଗ୍ରାମ ସ୍ମାକ ଜବତ ହୋଇଛି । ରାଜେଶ ଜେଲରେ ରହି ଚୋରା ଚାଲାଣର ପୂରା ନେଟଓ୍ବର୍କ ଚଲାଉଥିଲା । ରାଜେଶର ପତ୍ନୀ ରାନି ଓ ପରିବାରର ଅନ୍ୟ ସଦସ୍ୟ ଗ୍ୟାଙ୍ଗର କାମ ବୁଝୁଥିଲେ । ୧୦, ୨୦, ୫୦, ୧୦୦ ଟଙ୍କିଆ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି, ରାଜେଶର ସ୍ତ୍ରୀ ରାନି, ପୁଅ ବିନାୟକ, ଝିଅ କୋମଲ, ଅଜିତ ମିଶ୍ର ଏବଂ ଅଜିତର ପୁଅ ୟଶ ।
୯ ନଭେମ୍ବର ସକାଳ ପ୍ରାୟ ସାଢ଼େ ୮ଟାରେ ପ୍ରୟାଗରାଜର ମାନିକପୁର ଥାନା ଅନ୍ତର୍ଗତ ମୁନ୍ଦିପୁର ଗାଁରେ ହଠାତ ପୋଲିସର ଏକାଧିକ ଗାଡି ଲାଗିଥିଲା । ଗାଁରେ ଥିବା ଏକ ପୁରୁଣା ପକ୍କା ଘର ଆଗରେ ଗାଡିଗୁଡିକ ଅଟକି ଥିଲା । ପୋଲିସକୁ ସୂଚନା ମିଳିଥିଲା, ଜେଲରେ ବନ୍ଦ ରାଜେଶ ଏହି ଘରୁ ତା’ କଳା ସାମ୍ରାଜ୍ୟର ନେଟଓ୍ବର୍କ ଚଲାଉଛି । ପ୍ରଥମେ ମଦ, ପରେ ଜମି କାରବାର ଓ ଏବେ ନିଶା କାରବାର ପାଇଁ ରାଜେଶ ପୂରା ଉତ୍ତର ପ୍ରଦେଶରେ କୁଖ୍ୟାତ । ଜେଲରେ ଥାଇ ରାଜେଶ ଡିଲ ଫାଇନାଲ କରିଥାଏ । ଆଉ ବାହାରେ ରାହି ତା’ ପରିବାର ଡେଲିଭରି ଓ ଟଙ୍କା ଆଦାୟ କରୁଥିଲେ ।
୨୨ ଘଣ୍ଟା ଟଙ୍କା ଗଣା
ପୋଲିସ କବାଟ ବାଢେଇବା ପରେ ପ୍ରଥମେ ରାଜେଶଙ୍କ ପରିବାର ଭିତରୁ ଲକ୍ କରି ଦେଇଥିଲେ । ପରେ ସେମାନେ କବାଟ ଖୋଲିବା ପରେ ପୋଲିସ ବଳ ଘରେ ପଶିଥିଲେ । ସେତେବେଳେ ଘରେ ରାଜେଶର ପତ୍ନୀ ରାନି, ପୁଅ ବିନାୟକ, ଝିଅ କୋମଲ, ସମ୍ପର୍କୀୟ ୟଶ ଏବଂ ଅଜିତ ମିଶ୍ରା ଥିଲେ । ଘର ଭିତର ଦୃଶ୍ୟ ଦେଖି ପୋଲିସ ଆଖି ତରାଟି ଯାଇଥିଲା । ଚାରିଆଡେ ଟଙ୍କା ବିଡ଼ା ଥୁଆ ହୋଇଥିବା ବେଳେ ବସ୍ତାରେ ଗଞ୍ଜେଇ ଓ ଲୁହା ଟ୍ରଙ୍କରେ ସ୍ମାକ ରଖାଯାଇଥିଲା । ଆଉ ଘରର କୋଟିଏ କୋଣରେ ଟଙ୍କା ଗଣିବାକୁ ଏକ ମେସିନ ଥୁଆ ହୋଇଥିଲା । ପୋଲିସ ୨ କୋଟି ୧ ଲକ୍ଷ ୫୫ ହଜାର ୩୪୫ ଟଙ୍କା ନଗତ ଜବତ କରିଥିଲା । ସେହିପରି ଜବତ ଗଞ୍ଜେଇ ଓ ସ୍ମାକର ମୂଲ୍ୟ ଆନୁମାନିକ ୩ କୋଟି ଟଙ୍କା ହେବ । ଚଢାଇ ମାତ୍ର ତିନି ଘଣ୍ଟାର ଥିଲା । ହେଲେ ଏତେ ଟଙ୍କା ଜବତ ହେଲା ଯେ, ଗଣିବାକୁ ୨୨ ଘଣ୍ଟା ଲାଗିଗଲା ।
ପୂର୍ବରୁ ସିଜ ହୋଇଛି ୩ କୋଟିରୁ ଅଧିକ ଟଙ୍କା
ତଦନ୍ତରୁ ଜଣାପଡ଼ିଛି ରାନି ଏବଂ ବିନାୟକ ରାଜେଶକୁ ଜେଲରୁ ବାହାର କରିବାକୁ ନକଲି କାଗଜପତ୍ର ପ୍ରସ୍ତୁତ କରି ଜାମିନ କରାଇ ସାରିଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ ଠକେଇ, ଷଡଯନ୍ତ୍ର ଓ ଗ୍ୟାଙ୍ଗଷ୍ଟର ଆକ୍ଟ ସମେତ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଛି । ପୋଲିସ ରେକର୍ଡ ଅନୁସାରେ ପୂର୍ବରୁ ଏହି ପରିବାରର ୩ କୋଟି ୬ ଲକ୍ଷ ୨୬ ହଜାର ୮୯୫ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି ।
ରାନି ମିଶ୍ରା: ଘରେ ବସି ମାଫିଆ କ୍ବିନ୍
ସ୍ଥାନୀୟ ପୋଲିସ ଅନୁସାରେ, ରାଜେଶ ମିଶ୍ରାର ପତ୍ନୀ ରାନି କେବଳ ଗୃହଣୀ ନଥିଲା । ରାଜେଶ ଜେଲ ଯିବା ପରେ ପୂରା କାମ ସେ ବୁଝୁଥିଲା । ଗାଁ ଲୋକେ ଏହି ପରିବାରକୁ ଏତେ ଡରୁ ଥିଲେ ଯେ କେହି ତା’ ଘର ଆଡ଼କୁ ଆଖି ଉଠାଇ ଚାହିଁବାକୁ ସାହସ କରୁ ନଥିଲେ । ଗ୍ରାମବାସୀଙ୍କ ଅନୁସାରେ, ଘର ଆଗରେ କେବେ କେବେ ଟ୍ରକ ଛିଡ଼ା ହେଉଥିଲା । କିଛି ଲୋକ ଯିବା ଆସିବା କରୁଥିଲେ । ଏ କଥା ପୂରା ଗାଁ ଜାଣିଥିଲା, ହେଲେ କେହି ମୁହଁ ଖୋଲିବାକୁ ସାହସ କରୁ ନଥିଲେ । କେଉଁ ଅଞ୍ଚଳକୁ କେତେ ମାଲ ଯିବ ଓ କେତେ ଟଙ୍କା ଆସିବା ତାହା ରାନି ଘରେ ବସି ଠିକ କରୁଥିଲା । ଜେଲରେ ଥିବା ସ୍ବାମୀ ରାଜେଶ ସହ ପ୍ରତିଦିନ ଫୋନରେ କଥା ହେଉଥିଲା । ଆଉ ରାଜେଶ କହିବା ଅନୁସାରେ ଡିଲ୍ ଫାଇନାଲ ହେଉଥିଲା ।

