କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ଅଘଟଣ ? କେତେ ସୁରକ୍ଷିତ ଥିଲା ଆପାର୍ଟମେଣ୍ଟ ? ସହରରେ ଆହୁରି ଏମିତି କେତେ ଅସୁରକ୍ଷିତ କୋଠା ରହିଛି ? ଏଭଳି ଆପାର୍ଟମେଣ୍ଟରେ କେତେ ଲୋକ ରହୁଛନ୍ତି ? କଟକ ମଣିସାହୁ ଛକ ଆପାର୍ଟମେଣ୍ଟ ଚରୁର୍ଥ ମହଲାର ବାଲକୋନି ଭାଙ୍ଗି ୩ ଜଣଙ୍କ ମୃତ୍ଯୁ ପରେ ପ୍ରଶାସନର ପଶିଛି ଚେତା । ଅଘଟଣର ତଦନ୍ତ ପାଇଁ ୪ ବିଭାଗକୁ ନେଇ ଗଠନ ହୋଇଛି ୪ ଜଣିଆ କମିଟି । ସିଡିଏ ଉପାଧ୍ୟକ, ସିଏମସି ଅତିରିକ୍ତ କମିଶନର, ରାସ୍ତା ଓ କୋଠା ନିର୍ମାଣ ନିର୍ବାହୀ ଯନ୍ତ୍ରୀ, ସିଏସମି ସିଟି ଇଞ୍ଜିନିୟର ଏହାର ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ସହରର ସମସ୍ତ ଅସୁରକ୍ଷିତ କୋଠାକୁ ଚିହ୍ନଟ କରିବା ସହ ସେଗୁଡିକୁ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦ୍ଦେଶ । ସେପଟେ ଆପାର୍ଟମେଣ୍ଟ କଡରେ ୧୭ ବସ୍ତିବାସିନ୍ଦା ୪୧ ବର୍ଷ ହେବ ରହୁଛନ୍ତି । ସେମାନଙ୍କୁ କେଉଁଠିକୁ ସ୍ଥାନାନ୍ତର ନ ହେଲେ ଆଗକୁ ବଡ ବିପଦ ରହିଛି ବୋଲି ସ୍ଥାନୀୟ କର୍ପୋରେଟର କହିଛନ୍ତି ।
କଟକ ମଣିସାହୁ ଛକରେ ଥିବା ଏହି ଆପାର୍ଟମେଣ୍ଟ ୨୫ ବର୍ଷ ତଳେ ନିର୍ମାଣ ହୋଇଥିଲା । ଦୁଇ ମହଲା ବିଶିଷ୍ଟ ପ୍ଲାନ ଅନୁମୋଦନ ଥିବା ବେଳେ ଏହାକୁ ୫ ମହଲା କରାଯାଇଛି । ରକ୍ଷଣାବେକ୍ଷଣ ଆଦୌ ହେଉ ନ ଥିବାରୁ ଏହା ଏବେ ଅନ୍ତେବାସୀ ଓ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ସହରରେ ଥିବା ଏଭଳି ସବୁ ବିଲଡିଂ ଭାଙ୍ଗିବା ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସିଡିଏ କହିଛନ୍ତି । ସେପଟେ ତିନି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ଶୋଭାଯାତ୍ରାରେ ଶବାଧାରକୁ ଘର ସମ୍ମୁଖ ଦେଇ କଦମୀ ରସୁଲ ନିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ଆହତଙ୍କ ଚିକିତ୍ସା ଏସସିବିରେ ଚାଲିଛି । କିଛି ଅଧିକାରୀଙ୍କ ଅପାରଗତାରୁ ଶନିବାର ଅଘଟଣ ଘଟି ଚାଲିଯାଇଛି ୩ଟି ଜୀବନ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨ଶହ ରୁ ଅଧିକ ଅସୁରକ୍ଷିତ ବିଲଡିଂ ଚିହ୍ନଟ ଓ ଉଚ୍ଛେଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା କାମ କାହିଁକି ଆଗେଇ ପାରିନି ତାହା ଏବେ ବଡ ପ୍ରଶ୍ନ ।

