ସଭିଙ୍କ ମୁହଁରେ ଗୋଟିଏ ନାଁ । ନବୀନ ହିଁ ଆମ ସରକାର । ବିକାଶ ପୁରୁଷଙ୍କ ଗୋଟିଏ ଝଲକ ପାଇଁ ବ୍ୟାକୁଳ ଆବାଳ ବୃଦ୍ଧବନିତା । କି ଖରା କି ଛାଇ । ନବୀନଙ୍କୁ ଦେଖିବାକୁ ସବୁ କଷ୍ଟ ଭୁଲି ଯାଇଥିଲେ ଜନତା । ସୋରିଷ ପକାଇବାକୁ ବି ଜାଗା ନଥିଲା । ଖଚାଖଚ ଭିଡ଼ରେ ଭରିଯାଇଥିଲା ନୂଅପଡା ମାଟି । ଠିକ ସେତିକି ବେଳେ ନଭଶ୍ଚୁମ୍ବୀ ସୂର୍ଯ୍ୟଙ୍କ କିରଣକୁ କାଟି ଖରିଆରରେ ପହଞ୍ଚିଥିଲେ ନବୀନ । ହେଲିକାପ୍ଟରରୁ ଓହ୍ଲାଇ ସ୍ବାଗତ ପାଇଁ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଜଣାଇଥିଲେ ଧନ୍ୟବାଦ । ପରେ ପରେ ନୂଆପଡାରେ ଅରମ୍ଭ ହୋଇଯାଇଥିଲା ନବୀନଙ୍କ ଗ୍ରାଣ୍ଡ ରୋଡ଼ ଶୋ । ସାରା ଦିନ ମାରାଥନ ପ୍ରଚାର । ଜନତାଙ୍କୁ ବସ ଉପରୁ ଭୋଟ ପାଇଁ ଅପିଲ କରି ଲମ୍ବା ପଥ ବୁଲିଥିଲେ ନବୀନ। ନବୀନଙ୍କ ଝଲକ ପାଇଁ ରାସ୍ତାର ଦୁଇ କଡେ ଖଚାଖଚ ଭିଡ଼ । ବିଭିନ୍ନ ବେଶରେ ସଜେଇ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ ଜନତା । କେଉଁଠି କଟ୍ଟପା ବେଶରେ ନବୀନଙ୍କୁ ସ୍ବାଗତ କରାଯାଇଥିଲା ତ ପୁଣି କେଉଁଠି କିଙ୍ଗ କଙ୍ଗ ବେଶରେ ଜନତା ଓ କର୍ମୀଙ୍କୁ ନବୀନଙ୍କ ଆଗମନରେ ଖୁସିରେ ବିଭୋର ହୋଇପଡ଼ିଥିଲେ। ହାଇଡ୍ରୋଲିକ ବସରୁ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିଲେ ଆଶୀର୍ବାଦ ।
ଗତ ୩ ତାରିଖରେ ନବୀନ କୋମନାରେ ପ୍ରଚାର ସାରିଥିବାବେଳେ ଆଜି ଖରିଆର ରୋଡରେ କରିଛନ୍ତି ତୋଫାନୀ ପ୍ରଚାର । ଉପନିର୍ବାଚନରେ କର୍ମୀ ଓ ନେତାଙ୍କ ସହ ଭୋଟରଙ୍କ ମନରେ ଭରିଛନ୍ତି ଜୋଶ । ନୂଆପଡାରେ ବିଳମ୍ବରେ ପହଞ୍ଚିଥିଲେ ସତ। ତଥାପି ନବୀନଙ୍କ ଯାଦୁକରୀ ବ୍ୟକ୍ତିତ୍ବରେ ମଳିନତାର ସାମାନ୍ୟ ଆଭାସ ନଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ଖରିଆର ରୋଡ ପୋଲିସ ଷ୍ଟେସନ ପଡ଼ିଆରେ ପହଂଚିବା ପରେ ଜୋସର ସହ ଆରମ୍ଭ ହୋଇଥିଲା ରୋଡ ଶୋ । ଖରିଆର ରୋଡରୁ ଦଗା, ଦଗାରୁ ବିଜୁ ପଟ୍ଟନାୟକ ସ୍କୋୟାର, ଲଖମାନିଆ ପେଟ୍ରୋଲ ପମ୍ପ ସ୍କୋୟାର ଦେଇ ନୂଆପଡ଼ା ଏନଏସିର ସୂର୍ଯ୍ୟନଗର, ଗାୟତ୍ରୀମନ୍ଦିର ଛକ ପର୍ଯ୍ୟନ୍ତ ରୋଡ ଶୋ କରିଥିଲେ ନବୀନ। ରୋଡ ଶୋ ବେଳେ ନବୀନଙ୍କ ଯାଦୁରେ ନୂଆପରଡ଼ାବାସୀ ଅଭିଭୂତ ହୋଇଥିଲେ। ଖୋଦ ନବୀନଙ୍କ ଶୋକୁ ବାଲକୋନିରୁ ଦେଖିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପରିବାର।
କିଛି ସମୟର ବ୍ରେକ ପରେ ପୁଣି ଆରମ୍ଭ ହୋଇଥିଲା ପ୍ରଚାରର ଦ୍ବିତୀୟ ଇନିଂସ । ଅପରାହ୍ନ ୪ଟାରେ ପରକୋଡ଼ରେ ପହଞ୍ଚି ଥିଲେ ନବୀନ ପଟ୍ଟନାୟକ । ଏହି ସଭାରେ ପୁଣି ପୁଣି ଜନତାଙ୍କୁ ଆର୍ଶୀବାଦ ମାଗିଥିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ୫ ଶହ ଦିନର ସରକାର ମିଛ ସରକାର । ବିକାଶର ପ୍ରତିଶୃତି ଦେଇ ପ୍ରତାରଣା କରିଛି ବିଜେପି । ଏବେ ତାଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ । ନବୀନଙ୍କୁ ଆର୍ଶିବାଦ କରି ଅଟକି ପଡିଥିବା ବିକାଶକୁ ପୁଣି ଆଗକୁ ବଢାଯାଉ ବୋଲି ଅନୁରୋଧ କରିଥିଲେ ସ୍ନେହାଙ୍ଗିନୀ । ହାତରେ ଆଉ ମାତ୍ର ଦୁଇ ଦିନ ଥିବାବେଳେ ନୂଆପଡାରେ ଆଜି ବିଜେଡି ସୁପ୍ରିମୋ କରିଛନ୍ତି ମାରାଥନ ପ୍ରଚାର । ସାରା ଦିନ ଲୋକଙ୍କ ଗହଣରେ ରହି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ବିକାଶ ପୁରୁଷ ନବୀନ ପଟ୍ଟନାୟକ ।

