ନନ୍ଦିଘୋଷ ବ୍ୟୁରୋ : ବିଶ୍ବବିଜୟୀ ମହିଳା କ୍ରିକେଟ ଟିମ୍ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରଫି ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବବିଜୟୀ ଟିମ୍। ପ୍ରଧାନମନ୍ତ୍ରୀଙ୍କୁ ବିଜୟୀ ଜର୍ସି ଭେଟି ଦେଲେ ମହିଳା ଟିମ୍। ଏହା ସହ ବିଶ୍ବକପ ବିଜୟୀ ଟିମ୍ ବଖାଣିଛନ୍ତି ରୋମାଞ୍ଚକର ଅଭିଜ୍ଞତା। ହରମନପ୍ରୀତ ଓ ଟିମକୁ ସମ୍ବର୍ଦ୍ଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଦସ୍ତଖତ ଥିବା ନମୋ-୧ ଜର୍ସି ଦେଇଥିଲେ ମହିଳା ଟିମ୍। ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଥିଲା ହରମନପ୍ରୀତି କୌରଙ୍କ ଟିମ୍।
ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ସମୟ ଧରି ସେମାନଙ୍କ ସହ ଆଲୋଚନା କରିଥିଲେ। ତିନୋଟି ବିଶ୍ୱକପ୍ ପରାଜୟର ପରେ ଖେଳାଳିମାନଙ୍କ ଦୃଢତାର ସହ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ ପାଇଁ ସେ ପ୍ରଶଂସା କରିଥିଲେ।
ଡିଏସପି କେମିତି ଅଛ?
ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପ୍ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଦୀପ୍ତି ଶର୍ମାଙ୍କୁ ଡିଏସପି ବୋଲି ସମ୍ୱୋଧନ କରିଥିଲେ, କାରଣ ସେ ଉତ୍ତର ପ୍ରଦେଶ ପୋଲିସରେ ଡିଏସପି ମଧ୍ୟ ଅଛନ୍ତି। ତାଙ୍କ ସହ କିଛି ୨୦୧୭ର ପୁରୁଣା ସ୍ମୃତି ଆଲୋଚନା କରିଥିଲେ ।
ତୁମେ ହନୁମାନ ଟାଟୁ କରିଛ?
ଏହା ଛଡ଼ା ମୋଦି ତାଙ୍କୁ ପଚାରିଲେ, ତୁମେ କ’ଣ ହନୁମାନ ଟାଟୁ କରିଛ? ଏହା ନିଶ୍ଚୟ ତୁମକୁ ପ୍ରେରଣା ଦେଉଥିବ। ମୁଁ ଶୁଣିଛି ତୁମର ଇନଷ୍ଟାଗ୍ରାମ ବାୟୋରେ ‘ଜୟ ଶ୍ରୀ ରାମ’ ଲେଖିଛ।” ଦୀପ୍ତି ହସି କରି କହିଲେ, “ଏହା ମୋତେ ଶକ୍ତି ଦିଏ।”
ହରମନପ୍ରୀତ ଏବଂ ସ୍ମୃତି କ’ଣ କହିଲେ?
ଅଧିନାୟକ ହରମନପ୍ରୀତ କୌର ୨୦୧୭ରେ ଟ୍ରଫି ବିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ସ୍ମୃତିକୁ ମନେ ପକାଇଥିଲେ । ଏବଂ ସେ କହିଥିଲେ ଯେ ଏବେ ସେମାନେ ଟ୍ରଫି ସହିତ ସାକ୍ଷାତ କରୁଛନ୍ତି । ଉପ-ଅଧିନାୟିକା ସ୍ମୃତି ମନ୍ଧାନା ମଧ୍ୟ ତାଙ୍କର ପ୍ରେରଣାକୁ ପ୍ରଶଂସା କରିଥିଲେ ।

