spot_img

Latest Posts

ଧର୍ମମାସ କାର୍ତ୍ତିକ ପଞ୍ଚୁକର ତୃତୀୟ ଦିନ: ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ । ଧର୍ମମାସ କାର୍ତ୍ତିକ ପଞ୍ଚୁକର ତୃତୀୟ ଦିନ । ଭଗବାନ ନୃସିଂହଙ୍କ ପ୍ରକଟ ଦିବସ । ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ । ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଧାରଣ କରି ଅବକାଶ ନୀତି ପରେ ମହାପ୍ରଭୁ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶରେ ଦର୍ଶନ ଦେଇଛନ୍ତି l ବିଶ୍ୱାସ ରହିଛି ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଏହି ବେଶ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ବୈକୁଣ୍ଠ ପ୍ରାପ୍ତିର ମାର୍ଗ ଦେଖାଇଥାଏ l ତେଣୁ ପୁରିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ପଞ୍ଚୁକ ପାଇଁ ପୁରୀକୁ ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଭାବେ ବ୍ୟାରିକେଡ଼ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । କାର୍ତ୍ତିକ ବ୍ରତର ଅନ୍ତିମ ଦିନ ହୋଇଥିବାରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗ ଭସାଇ ବ୍ରତ ଉଦଯାପନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ପୋଲିସ ଓ ଅଗ୍ନିଶମ ବିଭଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ସୁରକ୍ଷା ପାଇଁ ପ୍ରାୟ ୪୫ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ମାତ୍ରାଧିକ ଭିଡ଼କୁ ନଜରରେ ରଖି ନାୟକ ପ୍ଲାଜା ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ବୃଦ୍ଧି କରାଯାଇଥିବାବେଳେ ମେଡିକାଲ ଛକ ଠାରୁ ନୋ ଭେହିକଲ ଜୋନ କରାଯାଇଛି l

Latest Posts

Don't Miss