ଆନ୍ଧ୍ରର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା । ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଚନ୍ତି । କିଛି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
ମିଳିଥିବା ସୂଚନା ଅନୁସାରେ କାର୍ତ୍ତିକ ଏକାଦଶୀ ପାଇଁ ମନ୍ଦିରରେ ଆଜି ପ୍ରବଳ ଭିଡ଼ ହୋଇଥିଲା । ମନ୍ଦିର ପ୍ରବେଶ ଦ୍ବାର ଦେଇ ଭିତରକୁ ଯିବାକୁ ଏକା ସଙ୍ଗରେ ବହୁ ଲୋକ ଚେଷ୍ଟା କରିଥିଲେ । ଠେଲାପେଲା ହେବା ସହ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ଫଳରେ କିଛି ଲୋକ ତଳେ ପଡ଼ିଯାଇଥିଲେ । ଅନ୍ୟମାନେ ସେମାନଙ୍କ ଉପରେ ଚଢ଼ି ଭିତରକୁ ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ଉପସ୍ଥିତ ଲୋକଙ୍କ କହିବା ଅନୁସାରେ, ସକାଳୁ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ହେଲେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିଲା । ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଘଟଣା ସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

