ଫୁଲବାଣୀ : ଚାଷୀଙ୍କୁ ମିଳୁନି ଆଳୁ । ଅଳିଆ ଗଦାରେ ଫିଙ୍ଗା ହୋଇଛି କୁଢକୁଢ ଆଳୁ ବିହନ । ବିହନ ଯୋଗାଣକାରୀ ସଂସ୍ଥା ଓ ଉଦ୍ୟାନ ବିଭାଗର ମଧୁଚନ୍ଦ୍ରିକା ଅଭିଯୋଗ । କନ୍ଧମାଳ ଜିଲ୍ଲାରେ ଫେଲ ମାରିଛି ଆଳୁ ମିଶନ ଯୋଜନା ।… ଚଳିତ ଥର ଖରିଫ ଋତୁରେ କନ୍ଧମାଳ ଜିଲ୍ଲାର ହଜାର ହଜାର ଚାଷୀ ଆଳୁ ଚାଷ କରିବା ପାଇଁ ସରକାରୀ ବିହନ ଉପରେ ଭରସା କରିଥିଲେ । ହେଲେ ଉଦ୍ୟାନ ବିଭାଗକୁ ଆସିଥିବା ଟ୍ରକ ଟ୍ରକ ଆଳୁ ଚାଷୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅଳିଆ ଗଦାରେ ଫୋପଡା ଯାଇଛି । ବିହନ ନପାଇ ହଜାର ହଜାର ଚାଷୀ ଚାଷରୁ ବାଦ ପଡିଛନ୍ତି । ଆଉ କିଛି ବାହାରୁ ଚଢା ଦରରେ ବିହନ କିଣି ଶୋଷଣର ଶିକାର ହୋଇଛନ୍ତି । ହେଲେ ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି ।
ଜିଲ୍ଲାରେ ଚଳିତ ଥର ୨ ହଜାର ହେକ୍ଟରରୁ ଅଧିକ ଜମିରେ ଆଳୁ ଚାଷ କରାଯିବା ନେଇ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ଆଖି ଆଗରେ ରଖି ଗତ ୨ ତାରିଖରେ ବିହନ ଯୋଗାଣକାରୀ ସଂସ୍ଥା ଠାରୁ ଛଅ ଶହ ବସ୍ତା ବିହନ ଆଳୁ ଆଣିଥିଲା ଜିଲ୍ଲା ଉଦ୍ୟାନ ବିଭାଗ । ହେଲେ ତାହା ଚାଷୀଙ୍କୁ ବଣ୍ଟନ କରାଗଲାନି । ଏବେ ୫ ଶହରୁ ଉର୍ଦ୍ଧ୍ଵ ବସ୍ତା ଆଳୁ ବିହନ ପଚି ନଷ୍ଟ ହୋଇଯିବାରୁ ତାକୁ ଅଳିଆ ଗଦାରେ ଫିଙ୍ଗା ଯାଇଛି । ଏଠି ପ୍ରଶ୍ନ ଉଠୁଛି- ବିଭାଗ କାହିଁକି ଜାଣିଶୁଣି ଖରାପ ବିହନ ଆଳୁ ଆଣିଲା ? ନିମ୍ନ ମାନର ବିହନ ଜାଣିବା ସତ୍ତ୍ଵେ କିପରି ଯୋଗାଣକାରୀ ସଂସ୍ଥାକୁ ଦିଆଗଲା ଆବଶ୍ୟକୀୟ ପେମେଣ୍ଟ ?
ରାଜ୍ୟରେ ଆଳୁ ସଙ୍କଟ ରହିବନି ବୋଲି ବୟାନ ଦେଇଥିଲେ ଯୋଗାଣ ମନ୍ତ୍ରୀ । ହେଲେ ଏବେ କନ୍ଧମାଳରେ ବିହନ ଅଭାବରୁ ଅନେକ ଚାଷୀ ଚାଷରୁ ବାଦ ପଡିଛନ୍ତି । ଚାଷୀଙ୍କ ପେଟକୁ ଲାତ ମାରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତ ? ଆଳୁ ଚାଷରୁ ବାଦ ପଡିଥିବା ଚାଷୀଙ୍କୁ ଦିଆଯିବ ତ ଆର୍ଥିକ ସହାୟତା ?

