ଚାଷୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ଓୟୁଏଟି : ଭୟଭୀତ ନହେବାକୁ କହିବା ସହିତ ଜାରି କରିଛି ଟୋଲଫ୍ରି ନମ୍ବର

ନନ୍ଦିଘୋଷ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ଦେଖି ଚାଷୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ଓୟୁଏଟି। ଭୟଭୀତ ନ ହେବାକୁ କହିବା ସହିତ ଜାରି କରିଛି ଟୋଲଫ୍ରି ନମ୍ବର। ପରାମର୍ଶ ପାଇଁ ୧୫୫୩୩୩ କୁ ଡାଏଲ କରି ପାରିବେ ଚାଷୀ। ଓୟୁଏଟି  ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ୨୬ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇପାରେ। ଫସଲ ସୁରକ୍ଷା ପାଇଁ କେତେକ ପଦକ୍ଷେପ ନେବାକୁ ଚାଷୀଙ୍କୁ କୁହାଯାଇଛି।  … ସଅଳ ଓ ମଧ୍ଯମ କିସମ ଧାନ କେଣ୍ଡାରେ ଶତକଡ଼ା ୮୫ ଭାଗ ପାଚିଯାଇଥିଲେ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ । ଅମଳ ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ କରି ଉଚ୍ଚ ଓ ନିରାପଦ ସ୍ଥାନରେ ରଖନ୍ତୁ । ମକା ଅମଳଯୁକ୍ତ ହୋଇଥିଲେ ଥିଲେ ସେଗୁଡ଼ିକୁ ଯଥାଶୀଘ୍ର ଅମଳ କରି ଦିଅନ୍ତୁ । ପାକଳ କଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଉପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ । ଆଖୁ ଫସଲରେ ଭେଳା ବାନ୍ଧନ୍ତୁ ।

ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ । ପନିପରିବା ନର୍ସରୀରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ । ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ । ରବି ଫସଲରେ ବର୍ତ୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ । ବର୍ଷା ଛାଡ଼ିଗଲା ପରେ ବୁଣାବୁଣି କାମ କରନ୍ତୁ । ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ । ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା ବସ୍ଥା କରନ୍ତୁ । ଫଳ ବଗିଚାରେ ଅତ୍ୟଧିକ ପାଣି ଜମି ରହିଲେ ତାହାକୁ ନିଷ୍କାସନର ବ୍ୟବସ୍ଥା କରନ୍ତୁ । ଉପକୂଳବର୍ତ୍ତୀ ଅଂଚଳରେ କଦଳୀ ଓ ଅମୃତଭଣ୍ଡା ବଗିଚାରେ ଗଛରେ ଢିରା ଦିଅନ୍ତୁ । ଗେଣ୍ଡୁ , ଗୋଲାପ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲିଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି । ତାର ମୁକାବିଲା ପାଇଁ କେତେକ ପରାମର୍ଶ ଦିଆଯାଇଛି।