ଆସୁଛି ଆଉ ଏକ ଲଘୁଚାପ ; ଆସନ୍ତା ୨୭ରୁ ୩୦ ଛେଚିବ ବର୍ଷା
ଭୁବନେଶ୍ବର : ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସକ୍ରିୟ ରହିଥିବାରୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଏହି ଲଘୁଚାପ ଅଧିକ ଘନୀଭୂତ ହେଲେ ଅଧିକ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ପୂର୍ବ ଦିଗରୁ ରାଜ୍ୟକୁ ପବନ ଆସୁଥିବାରୁ ବଙ୍ଗୋପସାଗରର ଜଳୀୟବାଷ୍ପ ଆସୁଛି। ଏହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ତାମିଲନାଡୁ ଉପକୂଳରେ ଏବେ ୱେଲ୍ ମାର୍କଡ ଲୋ ପ୍ରେସର ସକ୍ରିୟ ଅଛି । ତାହା ଅବପାତରେ ପରିଣତ ହୋଇ ତାମିଲନାଡୁ ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ ।
ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ୨୫ ଓ ୨୬ ତାରିଖରେ ବି ବର୍ଷା ହେବ। ୨୮ ତାରିଖ ଯାଏ ରାଜ୍ୟରେ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ୨୪ରେ ଥିବା ଲଘୁଚାପ ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛନ୍ତି ପାଣପାଗ ବିଶେଷଜ୍ଞ । ବଙ୍ଗୋପସାଗରରେ ଏହି ସପ୍ତାହରେ ସମୁଦ୍ର ଓ ଉପରିସ୍ଥ ବାୟୁମଣ୍ଡଳର ପ୍ରତିକୂଳ ସ୍ଥିତି, ବର୍ତ୍ତମାନ ରହିଥିବା ଲଘୁଚାପ ୨୩-୨୪ ତାରିଖ ସୁଦ୍ଧା ଘନୀଭୂତ ନ ହୋଇ ୨୪-୨୫ ତାରିଖ ମଧ୍ୟରେ ସମ୍ଭାବ୍ୟ ଦ୍ବିତୀୟ ଲଘୁଚାପ ସହ ମିଶି ଗୋଟିଏ ସିଷ୍ଟମରେ ପରିଣତ ହେବ । ତେବେ ଏହା କେବେ ଓ କେତେ ଘନୀଭୂତ ହେବ ଏବଂ ଗତିପଥ କ’ଣ ରହିବ, ତାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି ।
