ଆଜି ମାଓବାଦୀଙ୍କ ଭାରତ ବନ୍ଦ ; ସରକାରଙ୍କ ଦମନଲୀଳାକୁ ମାଓ ସଂଗଠନର ବିରୋଧ
ନନ୍ଦିଘୋଷ ବ୍ୟୁରୋ: ଆଜି ସିପିଆଇ(ମାଓବାଦୀ) ପକ୍ଷରୁ ପାଳନ ହେବ ଭାରତ ବନ୍ଦ । ମାଓବାଦୀ ସଂଗଠନ ବିରୋଧରେ ଦେଶରେ ଚାଲିଥିବା ସରକାରଙ୍କ ଦମନଲୀଳାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । କର୍ପୋରେଟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମାଓବାଦୀ କର୍ମୀଙ୍କ ଉପରେ ଚାଲିଥିବା ଦମନଲୀଳାକୁ ବିରୋଧ କରି ସାରା ଦେଶରେ ଏହି ବନ୍ଦ ପାଳନ କରାଯିବ ବୋଲି କହିଛି ନିଷିଦ୍ଧ ଘୋଷିତ ସଂଗଠନ । ସିପିଆଇ(ମାଓବାଦୀ) କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ କହିଛନ୍ତି- ନାରାୟଣପୁର, ବିଜାପୁର, କାଙ୍କର, ସୁକମା, ପଶ୍ଚିମ ସିଂହଭୂମ ଏବଂ ଓଡ଼ିଶାର କିଛି ଅଞ୍ଚଳରେ ମାଓବାଦୀ କର୍ମୀମାନଙ୍କ ଉପରେ ନିରାପତ୍ତା ବାହିନୀ ପକ୍ଷରୁ ନିର୍ଯାତନା, ଦମନଲୀଳା ଆଦି ଚାଲିଛି ।
ଫେକ୍ ଏନକାଉଣ୍ଟର ଜରିଆରେ କମ୍ରେଡ ମନୋଜ ଓରଫ ମୋଡେମ ଲକ୍ଷ୍ମୀ କ୍ରିଷ୍ଣା, କମ୍ରେଡ ବିଜୟ ଓରଫ ଚିନ୍ନା ହାସ୍ ଓ ଅନ୍ୟ ବହୁ ମାଓବାଦୀ ନେତା ପ୍ରାଣ ହରାଇଲେଣି । ବିନା ଆଇନଗତ ପ୍ରକ୍ରିୟାରେ କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଉଛି । ଅଭୟ କହିଛନ୍ତି- କେନ୍ଦ୍ର ସରକାର ଭାରତକୁ ଏକ କର୍ପୋରେଟ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ସହ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକୁ ଧ୍ବଂସ କରୁଛନ୍ତି । ଏହି ବନ୍ଦରେ ସାମିଲ ହେବା ଲାଗି ସମସ୍ତ ପ୍ରଗତିଶୀଳ, ଗଣତାନ୍ତ୍ରିକ ଓ ବାମଦଳକୁ ଆହ୍ବାନ କରିଛନ୍ତି ଅଭୟ ।
