ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅପହରଣ ଉଦ୍ୟମ ପଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅପହରଣ ଉଦ୍ୟମ ପଣ୍ଡ। ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର। ଯୋଗଡା ଓ ମୁରାରିପୁର ଗାଁର ଦୁଇ ଯୁବତୀ ଜାରକା ଅଞ୍ଚଳରେ ଏକ ସୁନା ଦୋକାନରେ କାମ କରନ୍ତି। ଗତକାଲି ରାତିରେ ଦୋକାନରୁ କାମ ସାରି ଘରକୁ ଫେରୁଥିବା ସମୟରେ କଣ୍ଟାମାଳିଆ ଓ ଥାନୁଆଳ ମଝି ରାସ୍ତାରେ ଜଣେ ଯୁବକ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କୁ ଅଟକାଇ ଥିଲେ। ପୂର୍ବ ଯୋଜନା ଅନୁସାରେ ଆଉ ଏକ କାରରେ ୩ ଯୁବକ ଆସି ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ କାର ଭିତରକୁ ଉଠାଇ ନେଇଥିଲେ। ଏହା ଦେଖି ସାଥିରେ ଥିବା ଅନ୍ୟ ଜଣେ ଯୁବତୀ ପାଟି କରିବା ସହ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ସହାୟତା ପାଇଁ ଡାକିଥିଲେ। ବାଇକ ଆରୋହୀ ଆସିବା ପରେ କାରରୁ ଯୁବତୀଙ୍କୁ ବାହାର କରି ଦୁବୃର୍ତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ। ଯୁବତୀ ଜଣକ ଗାଡି ଅଟକାଇଥିବା ବାଇକ ଆରୋହୀଙ୍କ ଗାଡିର ଚାବି ରଖି ଦେଇଥିଲେ। ଘଟଣାସ୍ଥଳରେ ଲୋକେ ପହଞ୍ଚିବା ପରେ ଜଣଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳ ରେ ଧର୍ମଶାଳା ପୋଲିସ୍ ପହଞ୍ଚି ଅଟକ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ବାଇକ ଜବତ୍ କରିଛି। ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। କେଉଁ କାରଣରୁ ଯୁବତୀଙ୍କୁ ଅପହରଣ କରୁଥିଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି।ଦିନକୁ ଦିନ ଧର୍ମଶାଳା ଅଞ୍ଚଳ ରେ ଚୋରି, ରାହାଜାନୀ ଡ଼କାୟତି ବଢ଼ି ଚାଲିଥିବା ବେଳେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ପାଇଁ ଦାବୀ ହୋଇଛି…