ବଲିଉଡରେ ଶୋକର ଛାୟା ; ଆଖିବୁଜିଲେ ବଲିଉଡର କମେଡ଼ିଆନ୍ ଗୋବର୍ଦ୍ଧନ ଅସରାନି

ନନ୍ଦିଘୋଷ ବ୍ୟୁରୋ: ବଲିଉଡରେ ଖେଳିଗଲା ଶୋକର ଛାୟା । ୮୪ ବର୍ଷ ବୟସରେ ଆଖିବୁଜିଲେ ଜଣାଶୁଣା ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି । ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଆଖିବୁଜିଲେ ଗୋବର୍ଦ୍ଧନ ଅସରାନି । ଦୀପାବଳିରେ ବଲିଉଡ ଜଗତର ବଡ଼ କ୍ଷତି ହୋଇଛି । ବହୁମୁଖୀ ପ୍ରତିଭାଶାଳୀ ଗୋବର୍ଦ୍ଧନ ଆସରାନୀଙ୍କ ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୮୪ ବର୍ଷ ବୟସରେ ଆସରାନୀଙ୍କ ଦେହାନ୍ତ ହୋଇଛି । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

ହାସ୍ୟ ଅଭିନେତା ଭାବେ ବଲିଉଡ ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ । ଧମାଲ, ଖଟାମିଠା,ଶୋଲେ ଭଳି ଅନେକ ନାମିଦାମି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ତିଆରି କରିଥିଲେ । ଫିଲ୍ମ ସୋଲେ ରେ ତାଙ୍କ   ଜେଲର ଭୂମିକା  ଓ ଡାଇଲଗ  ହମ୍ ଇଂରେଜ ଜମାନା କା ଜେଲର୍ ହେଁ ଦର୍ଶକଙ୍କ ମନଜିଣିଥିଲା ।   ଚୁପକେ ଚୁପକେ, ଛୋଟି ସି ବାତ୍, ରଫୁ ଚକ୍କର, ଅଭିମାନ୍ ଭଳି  ଫିଲ୍ମରେ ତାଙ୍କ ଭୂମିକା ଅତୁଳନୀୟ ।  ୧୯୭୨ରୁ ୧୯୯୧ ମଧ୍ୟରେ କେବଳ ରାଜେଶ ଖାନାଙ୍କ ସହ ୨୫ରୁ ଅଧିକ ଫିଲ୍ମ କରିଛନ୍ତି ।  ଆଧୁନିକ ଫିଲ୍ମ ହିସାବରେ  ସେ  ହେରାଫେରି ଓ  ଭାଗମଭାଗ, ଧମାଲ, ବଣ୍ଟି ଔର୍ ବବଲି-୨ ରେ ଅଭିନୟ କରିଥିଲେ ।  ନିଜ ଦମଦାର  ଅଭିନୟ ପାଇଁ ସେ ଦୁଇଥର  ଫିଲ୍ମଫେୟାର ବେଷ୍ଟ କମେଡିଆନ୍ ଆୱାର୍ଡ ପାଇଛନ୍ତି ।  ୫ ଦଶନ୍ଧିରୁ ଅଧିକ ସମୟ ଧରି ସେ ବଲିଉଡରେ ପ୍ରାୟ ୩୫୦ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ତାଙ୍କ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାନ୍ତାକ୍ରୁଜର ଶାସ୍ତ୍ରୀ ନଗରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଜନ୍ମ ୧ ଜାନୁଆରୀ ୧୯୪୧ ମସିହାରେ ହୋଇଥିଲା । ଆସରାନୀ ଦେହାନ୍ତ ପରେ ସୋସିଆଲ ମିଡିଆରେ ଅନେକ ଅଭିନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।