ମାନିଲେନି ବାଣଫୁଟା କଟକଣା ; ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା

ଭୁବନେଶ୍ବର : ମାନିଲେନି ବାଣଫୁଟା କଟକଣା। ପ୍ରଶାସନର ଦୁଇଘଣ୍ଟା ନିୟମକୁ ଫୁ କରିଦେଲେ ଲୋକେ। ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା। ଧୂଆଁମୟ ହୋଇଛି ରାତିର ରାଜଧାନୀ ଆକାଶ। ଦୀପାବଳି ଅବସରରେ ବାଣଫୁଟାଇବା ପାଇଁ ସାରା ରାଜ୍ଯରେ ସନ୍ଧ୍ଯା ୭ଟାରୁ ୯ଟା ପର୍ଯ୍ୟନ୍ତ ବାଣ ଫୁ଼ଟାଇବା ପାଇଁ କମିଶନରେଟ ପକ୍ଷରୁ ଘୋଷଣା କରାଯାଇଥିଲା । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲା ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡ଼ । ଏହି ନିୟମକୁ ସାରା ରାଜ୍ୟରେ ଲାଗୁ କରିବାକୁ ପ୍ରଶାସନକୁ ଦିଆଯାଇଥିଲା ନିର୍ଦ୍ଦେଶ। କିନ୍ତୁ ସୋମବାର ଦୀପାବଳି ଉତ୍ସବ ପାଳନ ବେଳେ ଲୋକେ ଏହି ନିୟମକୁ ମାନିନାହାଁନ୍ତି । ଖୋଦ ରାଜଧାନୀ ଭୁବନେଶ୍ବରରେ ଅତ୍ୟାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ଏପରିକି ରାତିରେ ଅତିମାତ୍ରାରେ ବାଣ ଧୂଆଁ ଯୋଗୁ ସୃଷ୍ଟି କରିଛି କୁହୁଡ଼ିର ଭ୍ରମ।
ଦୀପାବଳିରେ ବାଣ ଫୁଟାଇବା ସମୟରେ ସାରା ରାଜ୍ୟରେ ଅଘଟଣ ଘଟିଛି । କେବଳ ରାଜଧାନୀ ଭୁବନେଶ୍ଵରରେ ୬୨ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଆହତଙ୍କୁ କଟକ ବଡ଼ ମେଡିକାଲ, ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକ ଆହତଙ୍କ ଅବସ୍ଥା ଗୁରୁତର ହୋଇଛି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଛି । କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ଜଣେ ଯୁବକ ବାଣ ଫୁଟାଇବା ବେଳେ ତାଙ୍କ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ କଟକରେ ବାଣ ଯୋଗୁଁ ପ୍ରଦୂଷଣ ଅଧିକ ହୋଇଛି । ଆଗରୁ ଏଭଳି ବାୟୂ ପ୍ରଦୂଷଣ କେବେ ଏମିତି ହୋଇ ନଥିଲା ।