ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବାବୁ, ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେଉନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଅଧିକାରୀ । ଜନଶୁଣାଣିକୁ ଗୁରୁତ୍ବ ଦେଉନାହାନ୍ତି ୬ ବିଭାଗ । ୬ଟି ବିଭାଗ ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ବ ଦେଉ ନାହାନ୍ତି । ଯେଉଁଥିପାଇଁ ପ୍ରାୟ ୩୮ହଜାର ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରୁନାହିଁ । ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ଚିଠି ଲେଖାଗଲେ ମଧ୍ଯ କର୍ଣ୍ଣପାତ କରୁ ନଥିବାରୁ ଗତ ୧୫ ତାରିଖରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୁଣି ଥରେ ଚିଠି ଲେଖି ତାଗିଦ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏହି ରିପୋର୍ଟ ସାର୍ବାଜନୀନ ହେବା ପରେ ସତ୍ଯ ପଦାକୁ ଆସିଛି । ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ଇସ୍ପାତ ଓ ଖଣି ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଅଭିଯୋଗ ସମାଧାନ ହାର ଅନ୍ୟ ବିଭାଗଠାରୁ ଯଥେଷ୍ଟ କମ୍ ରହିଛି ।
ପଞ୍ଚାୟତିରାଜ ବିଭାଗରେ ଏବେ ବି ୨୦ହଜାର ୫୪୪ଟି ଅଭିଯୋଗ ସମାଧାନ ହୋଇ ନ ଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୨ହଜାର ୩୧୯ ଅଭିଯୋଗ ଗଡ଼ୁଛି। ସେହିପରି ଜଳସମ୍ପଦ ବିଭାଗରେ ୧ହଜାର ୪୪୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୪ହଜାର ୯୮୮,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮ହଜାର ୬୫୨ ଏବଂ ଖଣି ଓ ଇସ୍ପାତ ବିଭାଗରେ ୫୦୬ଟି ଅଭିଯୋଗ ଗଡୁଛି । ପଞ୍ଚାୟତିରାଜ ବିଭାଗକୁ ବାଦ୍ ଦେଇ ଅନ୍ୟ ୫ଟି ବିଭାଗରେ ଅଭିଯୋଗ ସମାଧାନ ହାର ୮୦ପ୍ରତିଶତରୁ କମ୍ ରହିଛି ଇତିମଧ୍ୟରେ ରାଜ୍ୟରେ ୪୦ଟି ବିଭାଗକୁ ୪ଲକ୍ଷ ୯୯ହଜାର ୮୫୧ଟି ଅଭିଯୋଗ ମିଳିଥିବାବେଳେ ଗତ ସେପ୍ଟେମ୍ବରରେ ୧୭ହଜାର ୧୧ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି । ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୬୬ହଜାର ୮୬୮ଟି ଅଭିଯୋଗ ୪୦ଟି ବିଭାଗରେ ଗଡୁଛି । ଏହାକୁ ନେଇ ବିରୋଧୀ ସରାକାରଙ୍କୁ ଘେରିଛନ୍ତି ।
ବିଜେଡି କହିଛି, ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରହସନ ପାଲଟିଛି । ସରକାର କେବଳ ଫୋଟୋ ଉଠାଇ ସୋସିଆଲ ମିଡିଆରେ ଛାଡି ନିଜେ ପାଳ ଗଦାରେ ଠିଆ ହୋଇ ପୁରୁଣା ସରକାରକୁ ନୀଚ୍ଚା କରିବାକୁ ପ୍ରୟାସ କରୁଛନ୍ତି । ବାସ୍ତବରେ ଲୋକଙ୍କ ସମସ୍ୟାର ସମାଧାନ ହେଉନି । ବିକାଶ ମନୋଭାବ ନ ଆସିବା ଯାଏଁ ସମସ୍ୟାର ସମାଧାନ ହେବନି । ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର । ସାଧାରଣ ପ୍ରଶାସନ ବିଭାଗ ଏହି ସତ୍ୟ ମାନିଲା । ସରକାର ମଧ୍ୟ ଏହି ସତକୁ ସ୍ୱୀକାର କରିବା ଦରକାର ବୋଲି ବିଜେଡି କହିଛି । ସେପଟେ କଂଗ୍ରେସ ବି ସମାନ ଢଙ୍ଗରେ ସମାଲୋଚନା କରିଛି । ସରକାରରେ ନେତୃତ୍ୱ ଅଭାବ ଓ ପ୍ରଶାସନିକ ନେତୃତ୍ବ ଅଭାବ ରହିଛି । ଅଫିସର ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣୁ ନାହାନ୍ତି । ଫାଇଲରେ ହାତ ମାରୁ ନାହାନ୍ତି । ମନ୍ତ୍ରୀ ମନ୍ତ୍ରୀ ଭିତରେ ସମନ୍ୱୟ ନାହିଁ । ବିଜେପି ସରକାର ଓଡ଼ିଶାକୁ ଗତ ୧୫ ମାସରେ ବହୁ ପଛକୁ ନେଇ ଗଲାଣି ବୋଲି କଂଗ୍ରେସ କଟାକ୍ଷ କରିଛି । ତେବେ ଏହି ଅଭଯୋଗକୁ ଖଣ୍ଡନ କରି ବିଜେପି କହିଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନ ସାରା ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ପରିବର୍ତ୍ତନ ହଠାତ ହୁଏନି । ଭଲ ଭାବେ ଜନଶୁଣାଣି ଶୁଣାଣି ସହିତ ଲୋକଙ୍କ ସମସ୍ୟାର ସମାଧାନ ହେଉଛି ବୋଲି ବିଜେପି କହିଛି ।