ଖୁବଶୀଘ୍ର ହେବ ଯୁଦ୍ଧର ଅନ୍ତ ; ବୁଡାପେଷ୍ଟରେ ଟ୍ରମ୍ପ-ପୁଟିନ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ଅନ୍ତ ହୋଇପାରେ ରୁଷ-ୟୁକ୍ରେନ ଯୁଦ୍ଧ। ଦୁଇ ସୁପରପାୱାର ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ହେବେ ଏକାଠି। ହଙ୍ଗେରୀ ବୁଦାପେଷ୍ଟରେ ଏକାଠି ହେବେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ନିଜେ ସୂଚନା ଦେଇଛନ୍ତି ଟ୍ରମ୍ପ। ନିଜର ସୋସିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି- ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ତାଙ୍କୁ ପୁଟିନ ଅଭିନନ୍ଦନ ଜଣାଇଥିଲେ। ବହୁ ଦିନ ଧରି ଚାଲିଆସିଥିବା ବିବାଦର ଅବସାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଯୋଗୁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ ପୁଟିନ। ମଧ୍ୟପ୍ରାଚ୍ୟ ପରି ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ହେଉ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହା ସହ ଟ୍ରମ୍ପଙ୍କ ମାନବିକତାକୁ ମଧ୍ୟ ପ୍ରଶଂସା କରିଥିଲେ ପୁଟିନ। ଟ୍ରମ୍ପ କହିଛନ୍ତି- ଏହି କଥାବାର୍ତ୍ତାର ଭିତ୍ତି ପ୍ରସ୍ତୁତ କରିବା ଲାଗି ଆସନ୍ତା ସପ୍ତାହରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା ବୈଠକ କରାଯିବ। ହ୍ବାଇଟହାଉସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।