ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହେବ ରୋହିତ-ବିରାଟଙ୍କ ଅନ୍ତିମ ସିରିଜ ? BCCI ପକ୍ଷରୁ ଆସିଲା ବଡ଼ ବୟାନ

ଭାରତୀୟ କ୍ରିକେଟ ଦଳର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ବର୍ତ୍ତମାନ ସମୟରେ ଏକ ବଡ଼ ଚର୍ଚ୍ଚା ଜାରି ରହିଛି । ପୂର୍ବରୁ ରୋହିତ-କୋଲି (ରୋ-କୋ) ଟି-୨୦ ଓ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଥିବା ବେଳେ ଏବେ ଦୁହେଁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ଯାଉଛନ୍ତି । ଆସନ୍ତା ୨୦୨୭ ଦିନିକିଆ ବିଶ୍ବକପରେ ଏହି ଦୁଇ ତାରକାଙ୍କୁ ଦେଖିବାକୁ ମିଳିବା ନେଇ ସନ୍ଦେହ ଉପୁଜିଛି, ଯାହାକି ଅଗଣିତ ଫ୍ୟାନ୍ସଙ୍କୁ ନିରାଶ କରିଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ରୋ-କୋ’ଙ୍କ କ୍ୟାରିୟରର ଅନ୍ତିମ ସିରିଜ ହୋଇପାରେ ବୋଲି ପ୍ରଶ୍ନ ଉଠିଛି ।

ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ ପରିଷଦ (BCCI) ତରଫରୁ ଏକ ବୟାନ ସାମ୍ନାକୁ ଆସିଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏହି ଅଟକଳ ସବୁକୁ ଖାରଜ କରିଛନ୍ତି । ସନ୍ନ୍ୟାସ ନେବା ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ଏହି ଦୁଇ ଖେଳାଳିଙ୍କ ଉପରେ ନିର୍ଭର କରେ । ଅରୁଣ ଜେଟଲୀ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଭାରତ ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ଏହା ପରେ ରୋ-କୋ’ଙ୍କ ଭବିଷ୍ୟତକୁ ନେଇ ରାଜୀବ ଏକ ବଡ଼ ବୟାନ ଦେଇଥିଲେ । ଆଇସିସି କ୍ରିକେଟ ବିଶ୍ବକପ ୨୦୨୭କୁ ଦୃଷ୍ଟିରେ ରଖି ଏହି ଦୁଇ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଚୟନ କରାଯାଇଛି । ଆଗାମୀ ବିଶ୍ବକପ ବେଳକୁ ଏହି ଦୁଇ ଖେଳାଳି ଯଥାକ୍ରମେ ୪୦ ଓ ୩୯ ବର୍ଷରେ ପଦାପର୍ଣ କରିସାରିଥିବେ । ଦିନିକିଆରେ ଏହି ଦୁଇ ଖେଳାଳିଙ୍କ ରେକର୍ଡ ଶାନଦାର ରହିଛି । ଏହି ଦୁଇ ଖେଳାଳି ବିଶ୍ବକପ ଖେଳିବା ଦ୍ବାରା ଆମକୁ ବଡ଼ ଫାଇଦା ଦେବ । ସେମାନେ କେବେ ସନ୍ନ୍ୟାସ ନେବେ, ତାହା ଏହି ଦୁଇ ଖେଳାଳିଙ୍କ ଉପରେ ନିର୍ଭର କରେ ବୋଲି ରାଜୀବ କହିଛନ୍ତି । ରୋହିତ ଦିନିକିଆରେ ୧୧ରୁ ଅଧିକ ରନ୍ ସଂଗ୍ରହ କରିଥିବା ବେଳେ ବିରାଟ ୧୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି ।