ପୀତବାସ ପଣ୍ଡା ହତ୍ଯା ଘଟଣା: ୮ ଦିନ ପରେ ବି ପୋଲିସ ହାତ ଖାଲି, ଘଟଣା ପଛରେ ବାଲିଘାଟ ବିବାଦ ସନ୍ଦେହ
1 min read
ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସମ୍ଭାବ୍ୟ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ହତ୍ୟା ପଛରେ ବାଲିଘାଟ ବିବାଦ ରହିଥିବା ସନ୍ଦେହ କରି ଏବେ ପୋଲିସ ତଦନ୍ତ ସେଦିଗରେ ଆଗେଇଛି । ହତ୍ୟାକାଣ୍ଡରେ ପୁରୀର ଦୁଇ ଜଣ ସୁଟରଙ୍କୁ ସୁପାରୀ ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ । ଦୁଇ ଅପରାଧୀଙ୍କ ଟ୍ରାକ ରେକର୍ଡ ସଂଗ୍ରହ କରି ଜଣଙ୍କୁ ପୋଲିସ ଉଠାଇଥିବା ସୂଚନା ମିଳିଛି । ଦୁଇ ଅପରାଧୀ ପୂର୍ବରୁ ବ୍ରହ୍ମପୁରର ହୋଇଥିବା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ମଧ୍ୟ ଜଡି଼ତ ଥିଲେ । ପୀତବାସ ପଣ୍ଡା ମର୍ଡ଼ର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ଘନେଇଛି । ଏପରିକି ବ୍ରହ୍ମପୁରର କିଛି ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଟ୍ରାକିଂ କରୁଥିବା ଜଣାପଡିଛି ।
ପୀତବାସ ପଣ୍ଡା ପଛରେ ସାମ୍ନାକୁ ଆସିଛି ବାଲିଘାଟ ବିବାଦ । ସନ୍ଦେହ କରି ପୋଲିସର ତଦନ୍ତ ଏବେ ସେ ଦିଗରେ ଆଗେଇଥିବା ଜଣାପଡିଛି । କିଛିଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ଗୋଟିଏ ବାଲିଘାଟ ବନ୍ଦ ହୋଇଥିବା ବେଳେ ଏହି ଘାଟକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଚଳାଉଥିଲେ । ତେଣୁ ବାଲିଘାଟ ବନ୍ଦ ପଛରେ ପୀତବାସଙ୍କ ଭୂମିକା ଥିବା ସନ୍ଦେହରେ ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ । ସେଦିଗରେ ପୋଲିସ ନିଜ ତଦନ୍ତ ଧାରାକୁ ମୋଡ଼ିଛି । ବାଲିଘାଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବାଲିଘାଟ ଲିଜଧାରୀ ଓ ତାଙ୍କ ସହଯୋଗୀଙ୍କ ଉପରେ ପୋଲିସ ନଜର ରଖିଛି । ସନ୍ଦେହରେ କିଛି ଲୋକଙ୍କୁ ଜେରା କରିଥିବା ସୂଚନା ମିଳିଛି । ଦିଗପହଣ୍ଡି ଅଞ୍ଚଳର ଜଣେ ଅପରାଧୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । ଘଟଣା ରାତିରେ ଖଲ୍ଲିକୋଟ ଟୋଲ ଗେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ପୀତବାସଙ୍କର ଦୁଇ ଶଳାଙ୍କୁ ମଧ୍ୟ ପୋଲିସ ଥାନାକୁ ଡାକି କଥା ହୋଇଥିବା ଜଣାଯାଇଛି । ହତ୍ୟାକାଣ୍ଡରେ ପୁରୀର ଦୁଇ ଜଣ ସୁଟରଙ୍କୁ ହାୟାର କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଏହି ଦୁଇ ଅପରାଧୀଙ୍କ ଟ୍ରାକ ରେକର୍ଡ ସଂଗ୍ରହ କରି ଜଣଙ୍କୁ ପୋଲିସ ଉଠାଇଥିବା ସୂଚନା ମିଳିଛି । ୧୫ ବର୍ଷ ପୂର୍ବରୁ ପୀତବାସଙ୍କ ବିଜିପୁରସ୍ଥିତ ଘରକୁ ବୋମାମାଡ଼ ହୋଇଥିଲା । ସେହି ଘଟଣାର ଫାଇଲ୍ ମଧ୍ୟ ପୋଲିସ ଓଲଟାଇଛି ।
ହତ୍ୟା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ସମ୍ପୂର୍ଣ୍ଣ ଘଟଣା ପ୍ରି-ପ୍ଲାନ୍ । ପୋଲିସ ତଦନ୍ତ ଠିକ୍ ଦିଗରେ ଯାଉଛି ଓ ଶୀଘ୍ର ହତ୍ୟା ପଛର କାରଣ ସହ ଷଡ଼ଯନ୍ତ୍ରକାରୀ ଧରାପଡ଼ିବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁ ଚରଣ ପତି । ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସ୍ମୃତି ସଭାରେ ସେ ଏଭଳି କହିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏତେକଥା କିଭଳି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ବିଜେପି ନେତାଙ୍କ ସୂଚନା ମୁତାବକ ନଭେମ୍ବର ୨୬ ତାରିଖରୁ ପୀତବାସଙ୍କ ପିଛା କରୁଥିଲେ ହତ୍ୟାକାରୀ । ଟାର୍ଗେଟ କରି ତାଙ୍କୁ ହତ୍ୟା କରାଯାଇଛି ।