ଏସଆଇ ପରୀକ୍ଷା କେଳେଙ୍କାରୀ: ଗୋଟିଏ ପ୍ରେସ୍ ବିଜ୍ଞପ୍ତି ଜାରି କରି ଓପିଆରବି ଚୁପ

ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ ଗୋଟିଏ ପ୍ରେସ୍ ବିଜ୍ଞପ୍ତି ଜାରି କରି ଚୁପ ବସି ପଡ଼ିଛି ଓପିଆରବି । ଏଯାଏଁ ଧରାପଡ଼ିଲେନି କେଳେଙ୍କାରୀର ମାଷ୍ଟରମାଇଣ୍ଡ । ସେପେଟ କ୍ରାଇମବ୍ରାଞ୍ଚ ଏକାଧିକ ରାଜ୍ୟରେ ଛାନବିନ ଜାରି ରଖିଛି । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଜାରି ହୋଇଛି ଲୁକ ଆଉଟ ସର୍କୁଲାର । ସେପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଭିତରେ ଆଶଙ୍କା ବଢ଼ିବାରେ ଲାଗିଛି । କଡ଼ା ସୁରକ୍ଷା ଭିତରେ ସାନି ପ୍ରଶ୍ନପତ୍ର ଛାପି ପରୀକ୍ଷା କରିବାକୁ ଦାବି ଉଠୁଛି ।
୧୩ ଦିନ ପୂରିବାକୁ ବସିଲାଣି । ଏଯାଏଁ ଧରାପଡ଼ିଲେନି ସବ ଇନସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ । କୁଆଡ଼େ ଯାଉଛି କ୍ରାଇମବ୍ରାଞ୍ଚ ତଦନ୍ତ ? ଗୋଟିଏ ପ୍ରେସ୍ ରିଲିଜ ଜାରି ନିଜ ଉପରୁ ଦୋଷ ଛଡ଼େଇ ଦେଇ ଚୁପ ବସିଛି ଓପିଆରବି । ସେପଟେ ଘଟଣାରେ କ୍ରାଇମବ୍ରାଞ୍ଚ ଫେରାର ଅଭିଯୁକ୍ତଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି । ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ ।
ସେତିକି ନୁହଁ, ଦଲାଲଙ୍କଠାରୁ ଜବତ ମୋବାଇଲ, କମ୍ପ୍ୟୁଟର ଓ ଅନ୍ୟ ଡିଜିଟାଲ ଡିଭାଇସକୁ ମଧ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଫରେନସିକ ରିପୋର୍ଟରୁ ତଦନ୍ତକାରୀ ସଂସ୍ଥାକୁ ଅନେକ ସୁରାକ ମିଳିପାରେ । ସେହିପରି ଦଲାଲଙ୍କ ଚାର୍ଟ ବ୍ୟାକଅପ୍ ମିଳିବା ପରେ ଚାକିରି ଠକେଇ ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇପାରେ । ୪ଟି ସ୍ପେଶାଲ ଟିମ ଝାଡ଼ଖଣ୍ଡ ଓ ବିହାରରେ ଚଢ଼ାଉ ଜାରି ରଖିଛି । କିନ୍ତୁ ଏଯାବତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ଟିମ । ଘୋଟାଲାରେ ଆହୁରି କିଛି ପରୀକ୍ଷାର୍ଥୀ ବା ଚାକିରି ଆଶାୟୀଙ୍କ ସମ୍ପୃକ୍ତି ଥିବା ନେଇ ଖବର ମିଳିବା ପରେ ସେମାନଙ୍କୁ ଧରିବା ପାଇଁ ଧରପଗଡ଼ ଆରମ୍ଭ ହୋଇଛି ସତ ହେଲେ ଏ ପର୍ଯ୍ୟନ୍ତ ଓପିଆରବିର ତଦାରଖ ଦାୟିତ୍ବରେ ଅବହେଳା ନେଇ କ୍ରାଇମବ୍ରାଞ୍ଚ ହାତ ମାରିପାରୁନି । ଏସବୁ କାହିଁକି ବୋଲି ଏବେ ସବୁ ମହଲରେ ଦାବି ଉଠିଲାଣି ।
ଅନ୍ୟପଟେ ଏହି କେଳେଙ୍କାରୀ ଧରାପଡ଼ିବା ପରେ ସାନି ପୋଲିସ ପରୀକ୍ଷା କରିବା ପାଇଁ ଆଶାୟୀଙ୍କ ଭିତରେ ଦାବି ଜୋର ଧରିଛି । ଓପିଆରବି କହିଛି କ୍ରାଇମବ୍ରାଞ୍ଚ ତଦନ୍ତ ନସରିବା ଯାଏଁ ଓ କେଳେଙ୍କାରୀରେ ସାମିଲ ସମସ୍ତ ଅଭିଯୁକ୍ତ ଧରା ନପଡ଼ିବା ଯାଏଁ ସାନି ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବନି । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ କେବେ ସରିବ ? କେବେ ଧରାପଡ଼ିବେ ମାଷ୍ଟରମାଇଣ୍ଡ ? ସବୁକିଛି ଅନିଶ୍ଚିତତା ଭିତରେ ଗତି କରୁଛି । ସମୟ ଗଡ଼ିଯାଉଥିବାରୁ ଅନେକ ଆଶାୟୀ ହତାଶ ହୋଇପଡ଼ିଛନ୍ତି । ସାନି ବିଜ୍ଞପ୍ତି ବେଳକୁ ସେମାନଙ୍କ ବୟସ ଯଦି ଗଡ଼ି ଯାଇଥିବ ତା’ହେଲେ ସେମାନେ ନିଯୁକ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏଭଳି କ୍ଷେତ୍ରରେ ପାପ କିଏ କଲା ଦଣ୍ଡ ପାଉଛି କିଏ ବୋଲି ପ୍ରଶ୍ନ ଉଠୁଛି ।
ଏଭଳି ସ୍ପର୍ଶକାତର ଘଟଣାକୁ ଦୁଇସପ୍ତାହ ବିତିଥିଲେ ମଧ୍ୟ ସରକାର କେବଳ ତଦନ୍ତକାରୀ ସଂସ୍ଥା ଉପରେ ସବୁ ଛାଡ଼ିଦେଇ ଚୁପ ବସିଛନ୍ତି । ଅନେକ ଆଶାୟୀଙ୍କ ମତ, ଯଦି ସରକାର ଚାହାଁନ୍ତେ ତାହେଲେ କଡ଼ା ସୁରକ୍ଷା ଭିତରେ ସାନି ପ୍ରଶ୍ନପତ୍ର ଛାପି ପୁଣି ଥରେ ପରୀକ୍ଷା କରିପାରନ୍ତେ । ନା ଓପିଆରବି ଏ ନେଇ ଚିନ୍ତା କରୁଛି ନା ସରକାର । କେବଳ ତଦନ୍ତ ଚାଲିଛି ବୋଲି କହି ହଜାର ହଜାର ଆଶାୟୀଙ୍କ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲି ଦେଲାଭଳି ସ୍ଥିତି ସୃଷ୍ଟି ହୋଇଛି ।