ଢୋଲ ମହୁରୀ ବାଜାରେ ଫାଟି ପଡିଲା ପରିବେଶ: ବାଜାର ତାଳେ ତାଳେ ବରୁଆମାନେ କଲେ ଉଦଣ୍ଡ ନୃତ୍ୟ

ଢ଼ୋଲ ମହୁରୀ ବାଜାରେ ଫାଟି ପଡିଲା ପରିବେଶ । ବାଜାର ତାଳେ ତାଳେ ବରୁଆମାନେ କଲେ ଉଦଣ୍ଡ ନୃତ୍ୟ। ସୁବର୍ଣ୍ଣପୁର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ପୀଠରେ ପାଳିତ ହୋଇଯାଇଛି ନିଆଁମଡା ଯାତ୍ରା । କାର୍ତ୍ତିକ ପ୍ରତିପଦା ତିଥିରେ ଆରମ୍ଭ ହୋଇ ତିନିଦିନ ଧରି ଚାଲିଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଜ୍ୱଳନ୍ତା ଅଙ୍ଗାରରେ ଚାଲିବା । ଠାକୁରାଣୀ ପୀଠରୁ ନିଆଁମଡା ପଡିଆକୁ ନାଚିନାଚି ଆସିଥାନ୍ତି ବରୁଆ। ଯାହାକୁ ଦେଖିବାକୁ ଜମିଥାଏ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ। …
ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ପରେ ପାଳିତ ହୁଏ ନିଆଁମଡା ଯାତ୍ରା । ଏଥିପାଇଁ ନିଆଁମଡା ପଡିଆରେ ହୋଇଥାଏ ସ୍ବତନ୍ତ୍ର ପୂଜାପାଠ । ନିଆଁ ଲାଗିବା ପରେ ଅଙ୍ଗାର ଉପରେ ଚାଲିଥାନ୍ତି ମାନସିକଧାରୀ । ବଳିଯାତ୍ରା ପରି ନିଆଁମଡା ଯାତ୍ରାରେ ମଧ୍ୟ ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗ କରାଯାଇଥାଏ । ଅଗ୍ନି ସ୍ତମ୍ବନ ମନ୍ତ୍ର ପ୍ରୟୋଗ କରି ନିଆଁକୁ ଶାନ୍ତ କରାଯାଏ । ଫଳରେ ନିଆଁ ଉପରେ ଖାଲି ପାଦରେ ଚାଲିଲେ ପାଦ ଶୀତଳ ଲାଗିଥାଏ ବୋଲି ବିଶ୍ବାସ ରହିଛି । ଏହା ସହ ନିଜର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କହୁନ୍ତି ଭକ୍ତ। ଗଡଜାତ ଶାସନ ଅମଳରୁ ପାରମ୍ପରିକ ରୀତିନୀତିରେ ଜାକଜମକରେ ପାଳିତ ହୋଇ ଆସୁଛି ନିଆଁମଡା ଯାତ୍ରା । ଯେଉଁଥିରେ ସାମିଲ ହେବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ ।