ବିହାର ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ ; ଆଜି ତଥ୍ୟ ଦାଖଲ କରିବେ ଇସି

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ । ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୩ ଲକ୍ଷ ୬୬ହଜାର ଭୋଟରଙ୍କ ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ନିକଟରେ ସବିଶେଷ ତଥ୍ୟ ଦାଖଲ କରିବେ ନିର୍ବାଚନ କମିଶନ  । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍ ପକ୍ଷରୁ ଆଗତ ପିଟିସନର ଶୁଣାଣି ନେଇ ଏହି ନିର୍ଦ୍ଦେଶ ଦେଇଥିଲେ ଅଦାଲତ  ।

ଏସଆଇଆରର ଚୂଡ଼ାନ୍ତ ତାଲିକାରେ ୨୧ ଲକ୍ଷ ୫୩ ହଜାର ନୂଆ ଭୋଟରଙ୍କୁ ସ୍ଥାନୀତ କରାଯାଇଥିବାବେଳେ ୩ ଲକ୍ଷ ୬୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଥିଲା  । ଏସଆଇଆର ପୂର୍ବରୁ ଅର୍ଥାତ ଜାନୁଆରୀରେ ଥିବା ମୂଳ ଭୋଟର ତାଲିକା ସହ ଏହାକୁ ତୁଳନା କରିବା ଲାଗି କୋର୍ଟ ନିକଟରେ ଦର୍ଶାଇଥିଲେ ଆଡଭୋକେଟ ପ୍ରଶାନ୍ତ କିଶୋର  । ମାମଲାର ଶୁଣାଣି କରୁଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀ  ।

ଜୁନ ସୁଦ୍ଧା ବିହାରର ମୋଟ ଭୋଟର ଥିଲେ ୭ କୋଟି ୮୯ ଲକ୍ଷ  । ୧ ଅଗଷ୍ଟ ୨୦୨୫ ପ୍ରକାଶିତ ଚିଠା ଭୋଟର ତାଲିକାରେ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିଲେ  । ଫଳରେ ମୋଟ ଭୋଟର ସଂଖ୍ୟା ହୋଇଥିଲେ ୭ କୋଟି ୨୪ ଲକ୍ଷ  । ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଥିଲେ ୨୧ ଲକ୍ଷ ୫୩ ହଜାର ଭୋଟର ଏବଂ ବାଦ୍ ପଡିଥିଲେ ୩ ଲକ୍ଷ ୬୬ ହଜାର ଭୋଟର  । ଫଳରେ ୩୦ ସେପ୍ଟେମ୍ବରରେ ପ୍ରକାଶିତ ଚୂଡ଼ାନ୍ତ ଏସଆଇଆରରେ ମୋଟ ଭୋଟର ସଂଖ୍ୟା ହୋଇଥିଲେ ୭ କୋଟି ୪୨ ଲକ୍ଷ  । ଅର୍ଥାତ ମୂଳ ଭୋଟର ତାଲିକାରୁ ସମୁଦାୟ ବାଦ୍ ପଡିଲେ ୪୭ ଲକ୍ଷ ଭୋଟର  ।