ଭୁଶୁଡି ପଡିଛି ଆଇନଶୃଙ୍ଖଳା: ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା

ଭୁଶୁଡି ପଡିଛି ଆଇନଶୃଙ୍ଖଳା। ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା । ବ୍ରହ୍ମପୁରରୁ ଭୁବନେଶ୍ବର । ପୁରୀରୁ କଟକ, ସବୁଠି ଭୟର ବାତାବରଣ । ବସରେ ସାଧାରଣ ଲୋକ ହୁଅନ୍ତୁ କି ଘର ପାଖରେ ଶାସକ ଦଳ ନେତା । କେହି ବି ସୁରକ୍ଷିତ ନୁହନ୍ତି । ହତ୍ୟା, ଚୋରି, ମାରପିଟ, ଗଣ୍ଡଗୋଳ ଯେମିତି ଦେହସୁହା ହୋଇପଡିଛି । ପୋଲିସ ନେତାଙ୍କ ହାତବାରିସୀ ସାଜିଥିବାରୁ ରାଜ୍ୟରେ ହୁହୁ ହୋଇ ଅପରାଧ ବଢୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ଓଡିଶାର ଆଇନ ଶୃଙ୍ଖଳା ଉଦବେଗଜନକ । ସରକାର ଏବେଠାରୁ ଯଦି ନଚେତିବେ ତେବେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅପରାଧୀମାନେ ସ୍ବାଧୀନ ଭାବେ ଅପରାଧ ଘଟାଉଛନ୍ତି । ଅପରାଧ କରି ଜେଲରୁ କଏଦୀ ଖସି ପଳାଉଛନ୍ତି । ରାଜ୍ୟରେ ଶାସକ ଓ ଆଇନ ଶୃଙ୍ଖଳା କେଉଁ ସ୍ଥିତିରେ ଅଛି ତାହା ସହଜରେ ଅନୁମାନ କରିହେଉଛି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ପୋଲିସ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ନେତାଙ୍କ ହାତବାରିସୀ ସାଜିଛି । ପୋଲିସ ବିଭାଗ ପ୍ରତି ଶାସକ ଦଳ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ଅଣାୟତ୍ତ ହୋଇପଡିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଆଇନଶୃଙ୍ଖଳା ଆଉ ନଥିବାବେଳେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢିଛି । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି ଲୋକେ ଘରେ ଶୋଉଥିବାବେଳେ ବି ଚୋରି ହେଉଛି । ତାହାର ଅର୍ଥ ନୁହେଁ ଯେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ସୀମା ଟପିଲାଣି ଅରାଜକତା । ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ବ୍ଯକଫୁଟରେ । ରାଜ୍ୟ ସରକାର କିଛି ଦୃଢ ପଦକ୍ଷେପ ନେବେ ନା ନିଜକୁ କେବଳ ସାବାସୀ ଦେଉଥିବେ ।