ଆନ୍ଧ୍ରର ମନମାନି: ଜଳକର ଚୁକ୍ତିର କରୁଛି ଖୋଲା ଉଲ୍ଲଂଘନ

ଆନ୍ଧ୍ରର ମନମାନି । ଜଳକର ଚୁକ୍ତିର କରୁଛି ଖୋଲା ଉଲ୍ଲଂଘନ । ଗଜପତି ଜିଲ୍ଲା ଜଳସମ୍ପଦ ବିଭାଗର ୧୭ଟି ଜଳଉତ୍ସରୁ ୫ ହଜାର ୬୬୦ ଏକର ଚାଷ ଜମିକୁ ପାଣି ନେଉଛି ଆନ୍ଧ୍ର । ଅଥଚ ପୈଠ କରୁନି ଜଳକର ପଇସା । ଚୁପ ବସିଛନ୍ତି ରାଜ୍ୟ ସରକାର । ୧୯୭୮ ମସିହା ଡିସେମ୍ବର ୧୫ ତାରିଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ହୋଇଥିବା ଜଳକର ଚୁକ୍ତିକୁ ଖୋଲା ଉପେକ୍ଷା କରୁଛି ଆନ୍ଧ୍ର । ଏନେଇ ଶତାଧିକ ଥର ଜଳସେଚନ ବିଭାଗ ଚିଠି ଲେଖିଥିଲେ ସୁଦ୍ଧା ଉତ୍ତର ରଖୁନି ଆନ୍ଧ୍ର ସରକାର । ଚୁକ୍ତି ପ୍ରକାରେ ଆନ୍ଧ୍ର ବ୍ୟବହାର କରୁଥିବା ଓଡ଼ିଶାର ଜଳ ନିମନ୍ତେ ଜଳକର ପ୍ରଦାନ କରିବ । ଯାହା ଜିଲ୍ଲାର ସମସ୍ତ ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେବ । ଚୁକ୍ତି ସ୍ଵାକ୍ଷରିତ ପରେ ୧୯୯୧ ରେ ୧ ଲକ୍ଷ ୩୫ ହଜାର ୮୩୨ ଟଙ୍କା ଓ ୧୯୯୩ ରେ ୭ ଲକ୍ଷ ୮୩ ହଜାର ୨୦୦ ଟଙ୍କା ପୈଠ କରିଛି ଆନ୍ଧ୍ର । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଅର୍ଥ ପୈଠ କରିନି ଆନ୍ଧ୍ର । ବିଭାଗୀୟ ତଥ୍ୟ ଅନୁସାରେ ୨୦୨୪ – ୨୫ ଆର୍ଥିକ ବର୍ଷ ସୁଦ୍ଧା ମୋଟ ୫ କୋଟି ୯ ଲକ୍ଷ ୩୨ ହଜାର ୬୧୫ ଟଙ୍କା ଆନ୍ଧ୍ର ବକେୟା ରଖିଲାଣି । ଏପଟେ ସମସ୍ତ ଜଳସେଚନ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କରି କ୍ଷତି ସହୁଛନ୍ତି ରାଜ୍ୟ ସରକାର ।

ଗଜପତି ଜିଲ୍ଲାର ଜଳସେଚନ ବିଭାଗର ୧୭ଟି କେନାଲ ମାଧ୍ୟମରେ ଜଳକୁ ବ୍ୟବହାର କରୁଛି ଆନ୍ଧ୍ର । ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ଜଳଉତ୍ସରୁ ୮୮ ଲକ୍ଷ ୫୪ ହଜାର ୮୪୫ କ୍ୟୁବିକ୍ ମିଟର ଜଳ ଆନ୍ଧ୍ର ବ୍ୟବହାର କରୁଛି । ଏହି ବାବଦକୁ ପ୍ରତିବର୍ଷ ହାରାହାରି ୧୬ ଲକ୍ଷ ୨୦ ହଜାର ୩୬୪ ଟଙ୍କା ଦେବା କଥା । ହେଲେ ନୀତି ନୈତିକତା ଭୁଲି ଯାଉଛି ଆନ୍ଧ୍ର । ରାଜ୍ୟ ସରକାରଙ୍କ ଉଦାସୀନତାର ଲାଭ ଉଠାଉଛି । ବିଭିନ୍ନ ସମୟରେ ଆନ୍ଧ୍ର ମନମାନି କରୁଥିବା ବେଳେ ରାଜ୍ୟ ସରକାର ଚୁପ କାହିଁକି ରହୁଛନ୍ତି ? ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।