ସୁଇସାଇଡ୍ ନୋଟରେ ଲେଖାଯାଇଛି ୧୦ ଜଣଙ୍କ ନାମ: ମାନସିକ ନିର୍ଯାତନାରେ ଭାଙ୍ଗି ପଡ଼ିଥିଲେ IPS ଓ୍ବାଇ. ପୂରନ !

1 min read

ହରିୟାଣାର ବରିଷ୍ଠ ଆଇପିଏସ ଅଧିକାରୀ ଓ ଏଡିଜିପି ଓ୍ବାଇ ପୂରନ କୁମାର ଅକ୍ଟୋବର ୭ରେ ଚଣ୍ଡିଗଡ଼ର ସେକ୍ଟର-୧୧ ସ୍ଥିତ ନିଜ ବାସଭବନରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ । ଯେଉଁ ସମୟରେ ସେ ଆତ୍ମହତ୍ୟା କରିଥିଲେ, ସେହି ସମୟରେ ତାଙ୍କ ପତ୍ନୀ ଆଇଏଏସ ଅଧିକାରୀ ଅମନୀତ ପୀ. କୁମାର, ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ସହ ଜାପାନ ଗସ୍ତରେ ଯାଇଥିଲେ । ପୂରନଙ୍କ ମୃତ୍ୟୁ ସାରା ପୋଲିସ ବିଭାଗ ଓ ପ୍ରଶାସନକୁ ଚିନ୍ତାରେ ପକାଇଛି । ପୋଲିସ ତାଙ୍କ ଘରୁ ୮ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍ ନୋଟ ଜବତ କରିଛି । ସେଥିରେ ଡିଜିପି, ଏଡିଜିପି ଓ ଏସପି ରାଙ୍କର ୧୦ ଜଣ ବରିଷ୍ଠ ଅଧିକାରୀମାନେ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରାଯାଇଛି । ଏଥିସହିତ ଘରୁ ଏକ ଇଚ୍ଛାପତ୍ର ମଧ୍ୟ ମିଳିଛି ।

ପୂରନଙ୍କୁ ଲଗାତର ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା ଓ ଅନେକ ବରିଷ୍ଠ ଅଧିକାରୀ ତାଙ୍କ କ୍ୟାରିୟର ବର୍ବାଦ କରିବାର ଷଡ଼ଯନ୍ତ୍ର ରଚିଥିବା ନେଇ ସୁଇସାଇଡ୍ ନୋଟରେ ଉଲ୍ଲେଖ କରାଯାଇଛି । ସୂତ୍ର ମୁତାବକ, ସୁଇସାଇଡ୍ ନୋଟରେ ଯେଉଁ ଅଧିକାରୀଙ୍କ ନାମ ରହିଛି, ସେମାନଙ୍କ ମଧ୍ୟରେ କିଛି ପୂର୍ବ ଡିଜିପି  ବର୍ତ୍ତମାନର ଡିଜିପି ସ୍ତରର ଅଧିକାରୀ ରହିଛନ୍ତି । ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାର ନାମ ସାର୍ବଜନିନ କରିନାହିଁ । କୁହାଯାଉଛି, ଏହି ପୂରା ବିବାଦ ରୋହତକ ଭ୍ରଷ୍ଟାଚାର କେସ ସହ ଜଡ଼ିତ ରହିଛି, ଯାହାର ଯାଞ୍ଚ ପୂରନ ନିଜେ ଆରମ୍ଭ କରିଥିଲେ ।

୨୦୦୧ ବ୍ୟାଚର ଆଇପିଏସ ଅଧିକାରୀ ଓ୍ବାଇ ପୂରନଙ୍କୁ ନିକଟରେ ରୋହତକ ସୁନାରିୟା ପୋଲିସ ଟ୍ରେନିଂ କଲେଜକୁ ବଦଳି କରାଯାଇଥିଲା । ସେଠାରେ ପଦଭାର ଗ୍ରହଣ କରିବା ପୂର୍ବରୁ ସେ ୭ ଦିନ ଛୁଟି ନେଇଥିଲେ । ସେହି ସମୟରେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ପୂରା କ୍ୟାରିୟରରେ ପୂରନ ଜଣେ ନିର୍ଭିକ ଅଧିକାରୀ ଭାବେ ଜଣାଶୁଣା ଥିଲେ । ସେ ଅନେକ ଥର ବିଭାଗୀୟ ନୀତି ଓ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଗତବର୍ଷ ସେ ହରିୟାଣାରେ ହୋଇଥିବା ଆଇପିଏସ ଅଧିକାରୀଙ୍କ ପ୍ରମୋସନକୁ ନେଇ ଗମ୍ଭୀର ପ୍ରଶ୍ନ କରିଥିଲେ ।