‘ରାଜ୍ୟରେ ଭୁଶୁଡ଼ି ପଡ଼ିଲାଣି ଆଇନଶୃଙ୍ଖଳା ବ୍ୟବସ୍ଥା’, ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା…

1 min read

ନନ୍ଦିଘୋଷ ବ୍ୟୁରୋ: ଓଡିଶାରେ ଭୁଶୁଡିପଡିଛି ଆଇନଶୃଙ୍ଖଳା ପରିସ୍ଥିତି । ଗତ କିଛି ଦିନ ଧରି ଘଟିଥିବା ହିଂସାକାଣ୍ଡ ତାର ପ୍ରମାଣ । ଗତକାଲି ରାତିରେ ୧୦ଟାରେ ବ୍ରହ୍ମପୁର ସହରରେ ଜଣେ ବରିଷ୍ଠ ଆଇନଜୀବୀ ତଥା ବାର କାଉନସିଲ ସଦସ୍ୟ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ଗୁଳି ମାଡ଼ କରି ହତ୍ୟା କରାଯାଇଛି । ୧୫ ଘଣ୍ଟାରୁ ଅଧିକ ସମୟ ବିତିବା ପରେ ପୋଲିସ ଦୁଇ ଦୁର୍ବୃତ୍ତଙ୍କ ଟେର ପାଉନି । ଗତକାଲି ଗଞ୍ଜାମର ବଡ଼ ପର୍ବ କୁମରା ପୂର୍ଣ୍ଣିମାରେ ସକ୍ରିୟ ପାଟ୍ରୋଲିଂ ନଥିଲା । ତେଣୁ ଦୁର୍ବୃତ୍ତ ଏପରି ଏକ ଜଘନ୍ଯକାଣ୍ଡ ଭିଆଇ ଫେରାର ହୋଇଗଲେ ବୋଲି ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କହିଛି, ଯେଉଁ ସ୍ଥାନରେ ତାଙ୍କୁ ହତ୍ୟା କରାଗଲା ସେଠିଥିବା ସିସିଟିଭି ବି ବାହାର କରାଯାଇଥିଲା । ଅର୍ଥାତ ଏହା ଯୋଜନାବଦ୍ଧ ହତ୍ଯାକାଣ୍ଡ ଥିଲା । ସ୍ଥାନୀୟ IIC ଓ ବ୍ରହ୍ମପୁର ପୋଲିସ ଜିଲ୍ଲା SP ବି ଛୁଟିରେ ଅଛନ୍ତି । ଏହା ଗୁଇନ୍ଦା ଓ ଆଇନ ଶୃଙ୍ଖଳାର ବିଫଳତା ।

୧୬ ମାସର ସରକାରରେ ଗଞ୍ଜାମରେ ରେକର୍ଡ ୧୨୮ ହତ୍ୟା ହୋଇଛି । ଧରାକୋଟ ଓ ଭଞ୍ଜନଗରରେ ବି ହତ୍ୟା ହୋଇଛି । ନବୀନ ପଟ୍ଟନାୟକ ଗଞ୍ଜାମରେ ଶାନ୍ତି ଫେରାଇ ଆଣିଥିଲେ । ହେଲେ ଆଜି ସରକାରରେ ପୋଲିସ ନାଚାର । ଗଞ୍ଜାମ ଜିଲ୍ଲାରେ ୧୧ ବିଜେପି ବିଧାୟକ, ଜଣେ ସାସଂଦ, ଦୁଇ ଜଣ ମନ୍ତ୍ରୀ ନିଜ ଦଳର ଆଇନଜୀବୀଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି । ପୀତବାସ ନିଜ ସୁରକ୍ଷା ଦାବି କରିଥିଲେ । ହେଲେ ସରକାର ଭୃକ୍ଷେପ କଲେନି । ବିଜେଡି ପୀତବାସ ପଣ୍ଡା ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରୁଛି ବୋଲି କହିଛନ୍ତି ଦଳର ବରିଷ୍ଠ ସଂପାଦକ ଭୃଗୁ ବକ୍ସିପାତ୍ର । କଣାସରେ ଲକ୍ଷ୍ମୀ ବସରେ ପଶି ଜଣେ ଦୁର୍ବୃତ୍ତ ହାଣି ଚାଲିଲେ । ପରିବହନ ମନ୍ତ୍ରୀ ଗଞ୍ଜାମର । ତାଙ୍କ ସହଯୋଗୀ ପୀତବାସ ପଣ୍ଡା । ଲକ୍ଷ୍ମୀ ବସରେ ହତ୍ୟା ହେଉଛି । ବାଲି, ଖାଦାନ ବି ଲୁଟ ହେଉଛି । ଏହି ଦୁଇ ବିଭାଗ ମନ୍ତ୍ରୀ ବିଭୂତି ଜେନାଙ୍କ ପାଖରେ । ସେ କିନ୍ତୁ କହୁଛନ୍ତି, କାହାକୁ ଛଡାଯିବନି । କେଉଁଠି ବି ଦୋଷୀ ଧରା ପଡୁନି । SI ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ୱାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି ।  ଭାଇଚାରାର ସହର କଟକ ଅଶାନ୍ତ ହେଲା । ବିଶ୍ରାରେ ହତ୍ୟାକାଣ୍ଡ ଘଟିଲା । କେତେ କେତେ ହତ୍ଯାକାଣ୍ଡ ଘଟୁଛି ତାର ହିସାବ ନାହିଁ । ପୀତବାସ ପଣ୍ଡାଙ୍କ ହତ୍ୟାର ତଦନ୍ତ ସକ୍ରିୟ ଭାବେ କରନ୍ତୁ ସରକାର । ବିଜେପି କେବଳ ବାକ୍ୟବାଣ ନଛାଡି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ ।