ହସ୍ପିଟାଲରେ ନିଆଁ ଲାଗି ୭ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ :  ହସ୍ପିଟାଲରେ ନିଆଁ ଲାଗି ୭ ମୃତ। ରାଜସ୍ଥାନ ଜୟପୁରର ସବାଇ ମାନସିଂ ହସ୍ପିଟାଲରେ ନିଆଁ ଲାଗି ୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ICUରେ ଅଗ୍ନିକାଣ୍ଡ ଘଟି ୭ ଜଣ ରୋଗୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ନିଆଁ ଲାଗିବା ପରେ ତୀବ୍ରଭାବେ ବଢିଥିଲା। ଏବଂ  ରୋଗୀଙ୍କୁ ସ୍ଥାନାନ୍ତର ସମୟରେ ଅବସ୍ଥା ଆହୁରି ଖରାପ ହୋଇଗଲା। ଯାହା ଫଳରେ ନିଆଁ ଭିତରେ ରୋଗୀ ଫସି ଯାଇଥିଲେ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ରୋଗୀମାନେ ICUରେ ଗୁରୁତର ଥାଆନ୍ତି, ସେତେବେଳେ ପ୍ରାୟ ସମସ୍ତେ କୋମାରେ ଥାଆନ୍ତି। ସେମାନଙ୍କର ବଞ୍ଚିବାର ବହୁତ କମ ଆଶା ଥାଏ। ସେମାନଙ୍କୁ ଲଗାତର ଅନ୍ୟ ସପୋର୍ଟ ସିଷ୍ଟମର ଆବଶ୍ୟକ ହୋଇଥାଏ। ସର୍ଟ ସର୍କିଟ ଯୋଗୁଁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିଲାଗି ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଲା। ଏହା ରୋଗୀଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା। ଗୁରୁତର ରୋଗୀଙ୍କୁ ତଳ ମହଲାର ICUକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନଙ୍କୁ ବଞ୍ଚାଯାଇ ପାରିଲା ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ବାରଟି ଦମକଳ ଗାଡ଼ି ଦୁଇ ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନେକ ମନ୍ତ୍ରୀ ଏବଂ ବିଧାୟକ ଏସ୍ଏମ୍ଏସ୍ ହସ୍ପିଟାଲକୁ ଯାଇ ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ସେପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସର୍ଟ ସର୍କିଟରୁ ଆଇସିୟୁରେ ଧୂଆ ବାହାରିବା ପରେ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ। ଯେଉଁଥିରୁ ଏତେବଡ଼ ଅଗ୍ନିକାଣ୍ଡ ଘଟିଲା ବୋଲି କହିଛନ୍ତି।