ଶୋଭାଯାତ୍ରାକୁ ନେଇ ଜଳୁଛି କଟକ ; ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ବ୍ୟାନ

କଟକ : ଶୋଭାଯାତ୍ରାକୁ ନେଇ ଜଳୁଛି କଟକ। ଏକ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ଅଟାକାଇବାରୁ ମହାଭାରତ। ଦରଘା ବଜାର ଅଞ୍ଚଳରେ ପ୍ରବଳ ଉତ୍ତେଜନ। ସ୍ଥିତିକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରାଯାଇଛି । ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ। ସିଡିଏ, ୪୨ ମୌଜା, ସିଏମସି ଅଞ୍ଚଳରେ ଲାଗୁ ହୋଇଛି ବ୍ୟାନ।
ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ କରିଛି ଲାଠିଚାର୍ଜ। ଏହା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକରେ କ୍ୟାମ୍ପ କରି ରହିବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଆସନ୍ତାକାଲି ଡାକରା ଦିଆଯାଇଛି ବନ୍ଦ। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।