କୁମାର ପୂର୍ଣ୍ଣିମା କେବେ ? ପୂର୍ଣ୍ଣିମା ତିଥି କେତେ ସମୟ ରହୁଛି ?

ନନ୍ଦିଘୋଷ ବ୍ୟୁରୋ: କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାର ତାରିଖ ନେଇ ଦ୍ୱନ୍ଦ୍ୱ । ଓଡ଼ିଶା ଭକ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ତାରିଖ । ପାରମ୍ପରିକ ଭାବରେ ଗୋଟିଏ ଦିନରେ ପାଳିତ ହେଉଥିବା କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ପାଳନକୁ ନେଇ ସାରା ଓଡ଼ିଶାରେ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଚଳିତ ବର୍ଷ ଚନ୍ଦ୍ର କ୍ୟାଲେଣ୍ଡରରେ ପରିବର୍ତ୍ତନ ଯୋଗୁଁ ତାରିଖଗୁଡ଼ିକରେ ଅସଙ୍ଗତତା ଦେଖାଦେଇଛି, ଗଜଲକ୍ଷ୍ମୀ ପୂଜା ସୋମବାର ପାଳନ କରାଯିବ, ଯେତେବେଳେ କୁମାର ପୂର୍ଣ୍ଣିମା ମଙ୍ଗଳବାର ପାଳନ କରାଯିବ। ଭିନ୍ନ ଭିନ୍ନ ତାରିଖ ଯୋଗୁଁ ଅନେକ ବିଶେଷକରି କୁମାର ପୂର୍ଣ୍ଣିମା ପୂଜା କରୁଥିବା ଯୁବତୀମାନେ, ପାଳନର ସଠିକ୍ ଦିନ ବିଷୟରେ ଅନିଶ୍ଚିତ ହୋଇପଡ଼ିଛନ୍ତି । ଅନେକ ପଞ୍ଜିକାରେ ସୋମବାରକୁ କୁମାର ପୂର୍ଣ୍ଣିମାର ଦିନ ଭାବରେ ତାଲିକାଭୁକ୍ତ କରାଯାଇଛି, ଯେତେବେଳେ ପୁରୀ ଶ୍ରୀମନ୍ଦିରରେ ଏହି ଉତ୍ସବ ମଙ୍ଗଳବାର ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତ ଏବଂ ପାରମ୍ପରିକ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି ।
ପଞ୍ଜିକାର ତିଥି, ବାର, ଯାତ୍ରା, ଶୁଭ ତଥା ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ କରିଥାନ୍ତି । କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସୃଷ୍ଟି ହେଉଛି ଦ୍ବନ୍ଦ୍ବ । ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୬ ତାରିଖ ଲେଖା ରହିଛି । କ୍ୟାଲେଣ୍ଡର ଓ ଆଉ କିଛି ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୭ ତାରିଖ ଲେଖା ଅଛି । ତେବେ ଜ୍ୟୋତିର୍ବିଦ ମାନଙ୍କ ମତରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ୬ତାରିଖରେ ଗଜଲକ୍ଷ୍ମୀ ପୂଜା କରାଯିବ ।
ଏହାର ପର ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା ବ୍ରତ । ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବ ପର୍ବାଣି ମାନଙ୍କରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛାତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ତାରତମ୍ୟ ଦେଖାଯାଇଥିବାରୁ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଥିବା ନେଇ ସୂଚନା ରହିଛି । ୭ତାରିଖ ଦିନ ସରକାରୀ ଛୁଟି ରହିଥିବାରୁ ମଧ୍ୟ ଅନେକ ଦ୍ଵନ୍ଦ ରହିଥିବାବେଳେ ୬ତାରିଖ ଦିନ ହିଁ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା କରିବା ପାଇଁ ଜ୍ୟୋତିର୍ବିଦ କହିଛନ୍ତି ।