ଓଡ଼ିଶା ପିଛା ଛାଡ଼ୁନି ଲଘୁଚାପ ; ୧୦ରୁ ପୁଣି ବର୍ଷା

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଗୋଟିଏର ପ୍ରଭାବ ନକମୁଣୁ ପୁଣି ଦାନା ବାନ୍ଧିଲାଣି ଆଉଏକ ଲଘୁଚାପ । ଅକ୍ଟୋବର ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ପୁଣି ୧୦ରୁ ରାଜ୍ଯରେ ଆରମ୍ଭ ହେବ ବର୍ଷା ।

ଚଳିତ ମୌସୁମୀ ଓଡ଼ିଶା ଛୁଇଁବା ପରଠାରୁ ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଗଭୀର ଅପପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବାପରେ ଯଦିଓ ବର୍ଷାର ତୀବ୍ରତା କମିଛି କିନ୍ତୁ ଦକ୍ଷିଣ ଓଡିଶା ସମେତ ଉପକୂଳରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଆକାଶ ମେଘଛନ୍ନ ରହିଛି । ୩ ଦିନ ଯାଏ ବର୍ଷା ଲାଗିରହିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର କେନ୍ଦ୍ରାପଡା, କଟକ, ଅନୁଗୁଳ ,ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କେନ୍ଦୁଝର, ଦେଓଗଡ଼, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ ଓ ଝାରସୁଗୁଡାକୁ ସତର୍କତା ଜାରି କରାଯାଇଛି । ସେହିପରି ଆସନ୍ତାକାଲି ସମାନ ଜିଲ୍ଲାପାଇଁ ୟେଲୋ ଆଲର୍ଟ ରହିଛି ।