spot_img

Latest Posts

ଭାରତ ଉପରେ ଟାରିଫ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ପୁଟିନଙ୍କ ନାଲିଆଖି

ନନ୍ଦିଘୋଷ ବ୍ୟୁରୋ : ଭାରତ ଉପରେ ଟାରିଫ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଲିଆଖି। ରୁଷ ସହ ଶକ୍ତି ସଂକ୍ରାନ୍ତ ବାଣିଜ୍ୟ ହ୍ରାସ ଲାଗି ଭାରତ ଉପରେ ଆମେରିକା ଯେଉଁ ଚାପ ପକାଉଛି ତାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ପୁଟିନ। ଏହାର ପ୍ରଭାବ ୱାଶିଂଟନ ଉପରେ ପଡ଼ିବ ବୋଲି ସେ କହିଛନ୍ତି। ୧୪୦ ଦେଶର ନିରାପତ୍ତା ଓ ଭୂରାଜନୈତିକ ବିଶେଷଜ୍ଞଙ୍କୁ ନେଇ ଦକ୍ଷିଣ ରୁଷର ସୋଚିରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ପୁଟିନ କହିଛନ୍ତି-ରୁଷର ଟ୍ରେଡ ପାର୍ଟନରଙ୍କ ଉପରେ ଆମେରିକା ଜାଣିଶୁଣି ଟାରିଫ ପ୍ରହାର କରୁଛି। ଏହା ଦ୍ବାରା ବିଶ୍ବରେ ଶକ୍ତି ଦରରେ ଅସ୍ଥିରତା ସୃଷ୍ଟି ହେବ। ପ୍ରଭାବରେ ଆମେରିକା ଫେଡେରାଲ ରିଜର୍ଭ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବ ଯାହାକି ଆମେରିକା ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ। ରୁଷଠାରୁ ଯଦି ଭାରତ ଶକ୍ତି କ୍ରୟ ନକରେ ତେବେ ଭାରତ ୧୦ ବିଲିୟନ ଡଲାର କ୍ଷତିର ସମ୍ମୁଖୀନ ହୋଇପାରେ। ଏହା ସହ ଆସନ୍ତା ଡିସେମ୍ବରରେ ଭାରତ ଆସିବେ ବୋଲି ସୂଚନା ଦେଇଥିଲେ। ଭାରତ ସହ ଘଟିଥିବା ବାଣିଜ୍ୟିକ ସମସ୍ୟାର ସମାଧାନ ଲାଗି ସେ ଗସ୍ତକାଳରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ପୁଟିନଙ୍କ ଗସ୍ତ ହୋଇପାରେ ବୋଲି ସୂଚନା ମିଳିଛି। ଡିସେମ୍ବର ୪ରୁ ୬ ମଧ୍ଯରେ କୌଣସି ଦିନ ପୁଟିନ ଭାରତ ଗସ୍ତରେ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଛି। ତେବେ ସେ କେଉଁ ସହରକୁ ଗସ୍ତ କରିବେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଜୟପୁର, ଆଗ୍ରା କିମ୍ବା ଗୋଆ ମଧ୍ଯରୁ କୌଣସି ଗୋଟିଏ ସ୍ଥାନକୁ ପୁଟିନ ଆସିବା ସମ୍ଭାବନା ରହିଛି।

Latest Posts

Don't Miss