ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅବସରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସୁନାବେଶ । ମହାପ୍ରଭୁ ଏହି ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନଲାଗି ଅନୁଷ୍ଠିତ ହେବା ସହ ନୂଆଲୁଗା ଲାଗି କରାଯିବା ସଜ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯିବ । ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ , ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ। ସେପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ।
ମହାପ୍ରଭୁଙ୍କର ୫ଟି ସୁନାବେଶ ଭିତରୁ ବିଜୟାଦଶମୀ ,କାର୍ତ୍ତିକ ପୂର୍ଣ୍ଣିମା ,ଫଗୁ ଦଶମୀ ,ଦୋଳପୁର୍ଣିମା ଓ ରଥ ଉପରେ ଗୋଟିଏ ହରିଶୟନ ଏକାଦଶୀ ବାହୁଡ଼ା ଯାତ୍ରାରେ ସୁନାବେଶ ହୋଇଥାଏ । ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଆଉ ଏହି ବେଶରେ ବେଶରେକିରିଟି,ଚୂଳ,ଚନ୍ଦ୍ରିକା, ଆଡକାନି,ଚନ୍ଦ୍ରସୂର୍ଯ୍ଯ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ମହାପ୍ରଭୁ।