ଏସଆଇ ପରୀକ୍ଷାରେ ଜାଲିଆତି ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା। ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ୧୧୭ ଜଣଙ୍କୁ ଗିରଫ କରାଯାଇଛି ବ୍ରହ୍ମପୁର ପୋଲିସ। ଗିରଫଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିବା ବେଳେ, ୩ ଜଣ ଦଲାଲ ଅଛନ୍ତି। କୋଟି କୋଟି ଟଙ୍କାର ହୋଇଥିଲା ଡିଲ। ଆହୁରି ଅନେକ ଦଲାଲଙ୍କ ସମ୍ପୃକ୍ତି ଜଣାପଡ଼ିଛି। ପ୍ରତି ପ୍ରାର୍ଥୀଙ୍କ ଠାରୁ ୨୦ ରୁ ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ, ୧୧୪ ଜଣ ପ୍ରାର୍ଥୀ ବରମୁଣ୍ଡାରୁ ୩ଟି ବସରେ ଚଢ଼ିଥିଲେ। ୩ ଜଣ ଦଲାଲଙ୍କ ଦ୍ବାରା ବିଜୟନଗରମର ଏକ ଅଜ୍ଞାତ ସ୍ଥାନକୁ ଯାତ୍ରା କରୁଥିଲେ। ଗିରଫ ୩ ଜଣ ଦଲାଣ ଅନ୍ୟ ଏଜେଣ୍ଟଙ୍କ ପାଇଁ କାମ କରୁଥିଲେ। ସମସ୍ତେ ସବ ଇନ୍ସପେକ୍ଟର ପରୀକ୍ଷାକୁ ଭଣ୍ଡୁର କରିବା ପାଇଁ ସଙ୍ଗଠିତ ଅପରାଧରେ ଲିପ୍ତ ଅଛନ୍ତି। ଗତକାଲି ବ୍ରହ୍ମପୁର ପୋଲିସ ଶତାଧିକ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଥିଲା।
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ସମସ୍ତଙ୍କୁ ଧରିଥିଲା ପୋଲିସ। ବିଜୟନଗରମରେ ଗୋପନୀୟ ପ୍ରଶ୍ନପତ୍ର ପାଇବା ଏବଂ ତା’ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ସେମାନଙ୍କର ଯୋଜନା ଥିଲା। ଏଥିପାଇଁ ପ୍ରାର୍ଥୀଙ୍କ ପିଛା ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେବା ପରେ ୧୫ ଲକ୍ଷ ଦେବାକୁ ରାଜି ହୋଇଥିଲେ। ଏହି ରାକେଯରେ ଆହୁରି ଅନେକ ଦଲାଲ ସାମିଲ ଥିବା ତଦନ୍ତରୁ ଜଣାପଡିଛି। ଘଟଣାରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି। ବିଏନଏସର ଧାରା ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨), ୩(୫), ୧୧(୧) ଓ ୧୨(୧) ଧାରାରେ ମାମଲା ରୁଜୁ ହୋଇଛି। ସମସ୍ତ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ। ଜାଲିଆତି ଖବର ଜଣାପଡ଼ିବା ପରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ।