ବିଜେପି ସରକାରରେ ଖର୍ଚ୍ଚ ହୋଇପାରୁନି ବିଭିନ୍ନ ବିଭାଗର ବଜେଟ ଅର୍ଥ

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରରେ ଖର୍ଚ୍ଚ ହୋଇପାରୁନି ବିଭିନ୍ନ ବିଭାଗର ବଜେଟ ଅର୍ଥ। ଯୋଜନା ଓ ସଂଯୋଜନା, ବିପର୍ଯ୍ୟୟ ପରିଚାଳନା ବିଭାଗର ୨ ପ୍ରତିଶତ ବି ଅର୍ଥ ଖର୍ଚ୍ଚ କରିପାରିନ୍ତି । ଯାହାକୁ ନେଇ ଦୁଇ ବିରୋଧୀ ସରକାରଙ୍କୁ ସମାଲେଚନା କରିଛନ୍ତି । ସରକାର ଠିକ ସେ ଚାଲୁନଥିବାରୁ ଅର୍ଥର ଅଭାବ ନଥିବା ବେଳେ ବି ବିଭାଗଗୁଡିକ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରୁଛନ୍ତି, ଆଗକୁ ବିଭାଗ ଗୁଡିକ ଖର୍ଚ୍ଚ ଠିକ ହେବ ବୋଲି ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ।

ବଜେଟ ଅର୍ଥକୁ ଖର୍ଚ୍ଚ କରୁନି ବିଭାଗ । ବାରମ୍ବାର ସମୀକ୍ଷା ପରେ ବି ଫଳଶୂନ । ଅପାରଗ ସରକାର କହି ଘେରିଲେ ବିରୋଧୀ । ବିଜେପି କହିଲା, ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ଦେଉଛୁ ଗୁରୁତ୍ବ । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟକୁ ସବୁ ବିଭାଗକୁ ଆବଣ୍ଟନ କଲେ । ହେଲେ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି ରାଜ୍ୟ ସରକାର । ବହୁ ବିଭାଗ ବଜେଟ ଅର୍ଥର ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିନଥିବା ବେଳେ କିଛି ବିଭାଗ ତତ୍ପରତା ଦେଖାଇ ମାତ୍ର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କିଛି ବିଭାଗ ମାତ୍ର ୨ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିପାରିଛନ୍ତି ।

ବିଜେପି ସରକାର ବଜେଟ ପରେ ବଜେଟ ଆଣୁଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଯୋଜନା ଓ ସଂଯୋଜନା ପରିଚାଳନାରେ ବଜେଟ ଖର୍ଚ୍ଚ ୨ ୨ ପ୍ରତିଶତ କରିଥିବା ବେଳେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମାତ୍ର ୧୨.୩୬ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିଛି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି  ଅଭିଯୋଗ କରିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରେ କାମ ସବୁ ଠପ ହୋଇଯାଇଛି । ବଜେଟ ଅର୍ଥ ଖର୍ଚ୍ଚ ନହେବା ତାହାର ଜଳନ୍ତ ଉଦାହରଣ । ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ ଅଭିଯୋଗ କରିଛନ୍ତି ସରକାର ଠିକ ସେ ଚାଲୁନଥିବାରୁ ବଜେଟ  ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଫଳରେ ଗାଁ ଗାଁରେ ବିକାଶ କାମ ଠପ ହୋଇଯାଇଛି ।

ବଡ ବଜେଟ ଆଣି ବିଭାଗ ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାର ଖର୍ଚ୍ଚ ନକରିପାରିବାର ଯୁକ୍ତିକୁ ଖଣ୍ଡନ କରିଛନ୍ତି ଶାସକ ଦଳ ବିଧାୟକ । ରାଜ୍ୟର ବିକାଶକୁ ଆଗେଇ ନେବାକୁ ସରକାର ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ ଅର୍ଥ ଖର୍ଚ୍ଚ ଉପରେ ସବୁବେଳେ ଗୁରୁତ୍ବ ଦେଉଛନ୍ତି । ବର୍ଷ ଶେଷ ବେଳକୁ ବିଭାଗ ଗୁଡିକ ବଜେଟ ଅର୍ଥ ସଠିକ ଭାବେ କରିବେ ବୋଲି ଶାସକ ଦଳ ଯୁକ୍ତି ବାଢିଛି । ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇଆସୁଛି । ଏବେ ଖୋଦ ବିଭାଗ ଗୁଡିକର ବଜେଟ ଅର୍ଥ ଖର୍ଚ୍ଚ ନହେବା ପରେ ଏ କଥା ସ୍ପଷ୍ଟ ହେଉଥିବା ଚର୍ଚ୍ଚ ହେଉଛି।