ଦୁର୍ଘଟଣାରୁ ବର୍ତ୍ତିଗଲେ ଦୁଇ ଟ୍ରେନ ; ରେଡ୍ ସିଗନାଲ ସତ୍ତ୍ବେ ଟ୍ରେନ ଗଡ଼ାଇଥିଲେ ଲୋକୋ ପାଇଲଟ

1 min read

ବାଲେଶ୍ବର : ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଦୁଇ ଟ୍ରେନ। ବାଲେଶ୍ଵର ସୋର ଷ୍ଟେସନରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ପୁରୀ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ଓ ଭୁବନେଶ୍ଵର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ଗତକାଲି ସୋର ଷ୍ଟେସନରେ ସଂଧ୍ଯା ୫ଟା ୩୫ ମିନିଟରେ ଆସି ପହଞ୍ଚିଥିଲା ହାୱଡାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ଅପରାହ୍ନ ୫ଟା ୪୬ ମିନିିଟରେ ଟ୍ରେନକୁ ଷ୍ଟେସନ ଛାଡ଼ିବାକୁ ଗ୍ରୀନ ସିଗନାଲ ଦେଇଥିଲେ ଷ୍ଟେସନ ମାଷ୍ଟର। ତେବେ ହଠାତ ମେନ ଲାଇନରେ ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ମାଡ଼ି ଆସିଥିଲା। ଏହି ଟ୍ରେନକୁ ରେଡ୍ ସିଗନାଲ ଥିବା ସତ୍ଵେ ଧିରେ ଧିରେ ମନ୍ଥର ଗତିରେ ଷ୍ଟେସନ ପରିସରକୁ ମାଡି ଆସିଥିଲା। ସ୍ଥିତିକୁ ନେଇ ପୂର୍ବରୁ ଗ୍ରୀନ ସିଗନାଲ ପାଇଥିବା ଜନଶତାବ୍ଦୀ ଏକ୍ସପ୍ରେସର ସିଗନାଲକୁ ରେଡ୍ କରାଯାଇଥିଲା। ଜନଶତାବ୍ଦୀ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଥିଲେ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବା ପ୍ରାୟ ନିଶ୍ଚିତ ଥିଲା।

ତେବେ ସିଗନାଲ ମାନିନଥିବା ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ ଅଟକାଇବାକୁ ସୂଚନା ଦେଇଥିଲେ ସୋର ଷ୍ଟେସନ ମାଷ୍ଟର। ସୋର ଷ୍ଟେସନରେ ଅଟକି ରହିଥିଲା ଭୁବନେଶ୍ଵର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ସିଗନାଲ ମାନିନଥିବା ଶତାବ୍ଦୀ ଏକ୍ସପ୍ରେସର ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡଙ୍କୁ ତୁରନ୍ତ କାର୍ଯ୍ୟରୁ ଅପସାରଣ ପରେ ନୂତନ ଷ୍ଟାପ ନିୟୋଜିତ କରାଯାଇଥିଲା। ଏହା ପରେ ଦୁଇ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ନିର୍ଦ୍ଦିଷ୍ଟ ସମୟ ଠାରୁ ଦେଢଘଣ୍ଟା ବିଳମ୍ବରେ ମାର୍କୋଣା ରେଳ ଷ୍ଟେସନରୁ ଛାଡିଥିଲା ଟ୍ରେନ। ରେଲୱେ ବିଭାଗର ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତିନିଜଣ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି।