ଏସିଆ କପ୍: ପାକିସ୍ତାନକୁ ୧.୩୦ କୋଟି ଟଙ୍କା କ୍ଷତି କରାଇବା ଯୋଜନାରେ ଭାରତ, ଅଭିଶେକ ଶର୍ମାଙ୍କୁ ମିଳିପାରେ ୭୫ ଲକ୍ଷ

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ୨୦୨୫ର ଫାଇନାଲିଷ୍ଟ ସ୍ପଷ୍ଟ ହୋଇ ସାରିଛି । ରବିବାର ହେବାକୁ ଥିବା ଏହି ମେଗା ଇଭେଣ୍ଟର ଫାଇନାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ । ଦୀର୍ଘ ୪୧ ବର୍ଷ ପରେ ଏସିଆ କପରେ ଭାରତ-ପାକିସ୍ତାନ ଫାଇନାଲରେ ଭେଟାଭେଟି ହେବାକୁ ଯାଉଛନ୍ତି । ଏହି ମୈଦାନେ ଜଙ୍ଗ ପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦୁଇ ଥର ଭାରତ ପାଖରୁ ପରାଜିତ ହୋଇ ସାରିଛି । ଲିଗ ଓ ସୁପର ଫୋର ମ୍ୟାଚରେ ଭାରତ ହାତରୁ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି । ଆଉ ପୁଣି ଥରେ ପାକିସ୍ତାନକୁ ତା’ର ଔକାତ ଦେଖାଇବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଦୁବାଇରେ ରବିବାରକୁ ଖେଳା ଯିବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ହରାଇ ହାଟ୍ରିକ ବିଜୟ ସହ ଟ୍ରଫି ଉଠାଇବାକୁ ଭାରତୀୟ ଖେଳାଳି ପ୍ରସ୍ତୁତ ହୋଇ ରହିଛନ୍ତି । ହେଲେ ଜାଣିଛନ୍ତି କି ପାକିସ୍ତାନ ଫାଇନାଲରେ ହାରିଲେ ୧.୩୦ କୋଟି ଟଙ୍କାର କ୍ଷତି ସହିବ । ଆଉ ଟିମ୍ ଇଣ୍ଡିଆର ଓପ୍ନର ବ୍ୟାଟର ଅଭିଶେକ ଶର୍ମାଙ୍କ ପାଖରେ ୭୫ ଲକ୍ଷ ଟଙ୍କା ଜିତିବାର ସୁଯୋଗ ବି ରହିଛି ।

ପ୍ରାଇଜ ମନି କେତେ ମିଳିବ ?

ଚଳିତ ଏସିଆ କପ୍ ଜିତିବା ଟିମ୍ ମୋଟା ଅଙ୍କର ପୁରସ୍କାର ପାଇବାକୁ ଯାଉଛି । ରିପୋର୍ଟ ଅନୁସାରେ, ୨୦୨୩ ଏସିଆ କପ୍ ପ୍ରାଇଜ୍ ମନି ତୁଳନାରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହାକୁ ଦୁଇଗୁଣା ହୋଇଛି । ରିପୋର୍ଟ ଅନୁସାରେ, ବିଜୟୀ ଟିମକୁ ୨.୩୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଆଉ ରନର୍ସ ଅପ୍ ଟିମକୁ ୧.୩୦ କୋଟି ଟଙ୍କା ମିଳିବ ।

ଏହାସହ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ମିଳିବ । ଏହାବାଦ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି । ବେଷ୍ଟ ବୋଲର ଓ ବେଷ୍ଟ ବ୍ୟାଟର ପାଇଁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରହିଛି । ତେବେ ଏସିଆନ କ୍ରିକେଟ କାଉନସିଲ ଏହି ପୁରସ୍କାର ରାଶି ନେଇ ସ୍ପଷ୍ଟ କରିନି ।

ଅଭିଶେକଙ୍କୁ ମିଳିବ କେତେ ?

୨୦୨୫ ଏସିଆ କପରେ ସର୍ବାଧିକ ରନ୍ କରିଥିବା ତାଲିକାର ଟପରେ ରହିଛନ୍ତି ଟିମ୍ ଇଣ୍ଡିଆର ଓପ୍ନର ଅଭିଶେକ ଶର୍ମା । ଆଉ ସେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଭିଶେଷ ୬ଟି ମ୍ୟାଚ ଖେଳି ୫୧.୫୦ ହାରରେ ୩୦୯ ରନ୍ କରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ରହିଛି । ଦ୍ବିତୀୟ ନମ୍ବରରେ ଶ୍ରୀଲଙ୍କା ଓପ୍ନର ପାଥୁମ ନିସଙ୍କ ରହିଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୪୩.୫୦ ହାରରେ ୨୬୧ ରନ୍ କରିଛନ୍ତି । ସେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି । ଏହାକୁ ଦେଖିଲେ ଅଭିଶେକଙ୍କୁ ବେଷ୍ଟ ବ୍ୟାଟର ପୁରସ୍କାର ମିଳିବା ଏକପ୍ରକାର ନିଶ୍ଚିତ । ଏହାସହ ଅଭିଶେକ ପ୍ଲେୟାର ଅଫ୍ ନି ଟୁର୍ଣ୍ଣାମେଣ୍ଟ ବି ହୋଇପାରନ୍ତି । ଏହାକୁ ଦେଖିଲେ ଫାଇନାଲ ମ୍ୟାଚରେ ସେ ପ୍ରାୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ପାଇପାରନ୍ତି ।

କୁଲଦୀପ ଓ ଅଭିଶେକଙ୍କ ମଧ୍ୟରେ ଟକ୍କର

କୁଲଦୀପ ଯାଦବ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ଅଭିଶେକଙ୍କୁ କଡା ଟକ୍କର ଦେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ କୁଲଦୀପ ୬ଟି ମ୍ୟାଚରୁ ୧୩ଟି ଓ୍ବିକେଟ ନେଇଛନ୍ତି । ଏହାକୁ ଦେଖିଲେ କୁଲଦୀପ ବେଷ୍ଟ ବୋଲର ହୋଇପାରନ୍ତି । କୁଲଦୀପଙ୍କ ପଛକୁ ୟୁଏଇ ବୋଲର ଜୁନେଦ ସିଦ୍ଦକୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ୯ଟି ଓ୍ବିକେଟ ନେଇଚନ୍ତି । ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୯ ଓ୍ବିକେଟ୍ ନେଇଛନ୍ତି । ତାଲିକାର ଦ୍ବିତୀୟ ସ୍ଥାନକୁ ଆସିବାକୁ ତାଙ୍କ ପାଖରେ ଏକ ସୁଯୋଗ ରହିଛି ।