ବିମାନ ଚକରେ ଲୁଚି କାବୁଲରୁ ଦିଲ୍ଲୀ ଆସିଲା ୧୩ ବର୍ଷର ବାଳକ
1 min read
ନନ୍ଦିଘୋଷ ବ୍ୟୁରୋ : ବିମାନର ଲ୍ୟାଣ୍ଡି ଗିଅରରେ ଲୁଚି କାବୁଲରୁ ଦିଲ୍ଲୀ ପହଞ୍ଚିଲା ୧୩ ବର୍ଷୀୟ ବାଳକ । ଆଶ୍ଚର୍ଯ୍ୟଜନକ ଭାବରେ ବାଳକଟି ଜୀବିତ ଏବଂ ସୁସ୍ଥ ଅଛି । ତେବେ ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ କୌତୁହଳବଶତଃ କାବୁଲରୁ ଦିଲ୍ଲୀ ଅଭିମୁଖେ ଉଡୁଥିବା KAM ଏୟାରଲାଇନ୍ସର ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ଭାରତ ପହଞ୍ଚିଥିବା ସୂଚନା ମିଳିଛି। ଏହି ଘଟଣା ରବିବାର ସକାଳ ୧୧ଟା ସମୟରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ କାମ ଏୟାରଲାଇନ୍ସର ଫ୍ଲାଇଟ୍ ନମ୍ବର RQ-4401 ପହଞ୍ଚିବା ପରେ ଜଣାପଡ଼ିଥିଲା।
ଏହି ବାଳକ ବିମାନ ଅବତରଣ ପରେ ଫ୍ଲାଇଟ୍ ନିକଟରେ ଘୂରି ବୁଲୁଥିବା ବେଳେ ଏୟାରଲାଇନ୍ସ କର୍ମଚାରୀଙ୍କ ଦ୍ୱାରା ଧରାପଡ଼ି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ) ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଜେରା ସମୟରେ ସେ କହିଛନ୍ତି, ସେ କାବୁଲ ବିମାନବନ୍ଦରକୁ ଗୋପନେ ପ୍ରବେଶ କରି ବିମାନର ପଛ ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚିଥିଲେ।
ତଦନ୍ତ ପରେ ତାଙ୍କୁ ସେହି ଦିନ ଅପରାହ୍ନ ୧୨:୩୦ରେ ସେହି ବିମାନରେ ଆଫଗାନିସ୍ତାନକୁ ଫେରାଇ ପଠାଇ ଦିଆଯାଇଥିଲା। ବିମାନର ଲ୍ୟାଣ୍ଡିଂ ଗିଅରରେ ଏକ ଲାଲ ରଙ୍ଗର ସ୍ପିକର ମିଳିଥିଲା, ଯାହା ବାଳକ ସାଙ୍ଗରେ ଥିବା ଜଣାପଡ଼ିଛି। ସୁରକ୍ଷା ଯାଞ୍ଚ ଓ ଆଣ୍ଟି-ସାବୋଟେଜ ପରୀକ୍ଷା ପରେ ବିମାନଟି ସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା।