କାଲି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ସମସ୍ତ ଅଳଙ୍କାର

ପୁରୀ : କାଲି ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ସମସ୍ତ ଅଳଙ୍କାର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ । ଶୋଧ କରାଯିବ ନାଟମଣ୍ଡପ ଓ ଜଗମୋହନ । ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ବା ଖଟଶେଜ ଓ ଚାଙ୍ଗଡା ଘରୁ ରତ୍ନ ଅଳଙ୍କାର ଗୁଡିକ ସୁରକ୍ଷିତ ଭାବେ ମୁଖ୍ୟ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି,ଏଏସଆଇ ଅଧିକାରୀ, ରତ୍ନଭଣ୍ଡାର ସବ କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର, ଦେଉଳ କରଣ, ତଢଉ କରଣ, ଭଣ୍ଡାର ମେକାପ ଉପସ୍ଥିତ ରହିବେ । ସେହିଭଳି ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତରିକ୍ତ ମୁଖ୍ୟ ଯନ୍ତ୍ରୀ କମିଟିରେ ସାମିଲ୍ ରହିଛନ୍ତି । ମାହେନ୍ଦ୍ର ବେଳା ଅନୁସାରେ ସକାଳ ୭.୧୭ରୁ ଦିନ ୧୧.୧୭ ମଧ୍ୟରେ କମିଟିର ସଦସ୍ୟ ମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ।

ମହାପ୍ରସାଦ ଓ ଭୋଗ ପାଇବାକୁ ଇଚ୍ଛୁକ ଭକ୍ତମାନେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ଯାଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ କରାଯିବ । ନାଟମଣ୍ଡପ,ଗର୍ଭଗୃହ ଓ ଜଗମୋହନରେ ପାଳି ଥିବା ସେବାୟତ ହିଁ ଯାଇ ପାରିବେ । ପୋଲିସ ପ୍ରଶାସନ ପକ୍ଷରୁ ସକାଳ ୮ ଠାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ । ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତଙ୍କୁ ଚେକିଂ କରି ଛଡାଯିବ। ବେହେରଣ ଦ୍ଵାର ନିକଟରେ ପ୍ରବେଶ ପାଇଁ ଦୁଇ ପ୍ରକାର ପାସ ବ୍ୟବସ୍ଥା  କରାଯାଇଛି । ଅସ୍ଥାୟୀ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ପରିଚାଳନା କମିଟି ବୈଠକରେ ଭିତର ଓ ବାହାର୍ ରତ୍ନଭଣ୍ଡାର ଗଣତି ମଣତି ନେଇ ଚୂଡାନ୍ତ ନିଷ୍ପତି ନିଆଯିବ।