ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଭୁଲ ଚିକିତ୍ସା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ

ଭୁବନେଶ୍ୱର : ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ହୋହଲ୍ଲା, ଆନ୍ଦୋଳନ, ରାସ୍ତାରୋକ । କିଛି ସମୟ ପାଇଁ କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଯାଏଁ ଯାତାୟାତ ଠପ୍ । ଅଟୋ ଚାଳକ ଆଶିଷ ସାହୁ ତାଙ୍କ ଦେଢ଼ ବର୍ଷର ପୁଅକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଥଣ୍ଡା, କାଶ ଚିକିତ୍ସା ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଙ୍କ ଖାମଖିଆଲି ଯୋଗୁଁ ଶିଶୁକୁ ଓଭର ଡୋଜ ମେଡ଼ିସିନ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ତେଣୁ ଔଷଧ ନେବାର କିଛି ସମୟ ପରେ ଶିଶୁଟିର ଶରୀର ନିସ୍ତେଜ ହେବା ସହ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳାକୁ ଦାୟି କରି କାର୍ଯ୍ଯାନୁଷ୍ଠାନ ସହ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ ସ୍ମାର୍ଟ ଅନଲାଇନ ଅଟୋ ଚାଳକ ।
ପୋଲିସ ଆନ୍ଦୋଳନକାରୀଙ୍କ ବୁଝାସୁଝା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହାପରେ ଶିଶୁର ପୋଷ୍ଟମର୍ଟମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲରେ ନିୟୋଜିତ ସୁରକ୍ଷା କର୍ମୀ ଓ ଉତ୍ତ୍ୟକ୍ତ ଲୋକମାନଙ୍କ ମଧ୍ୟରେ ଝଗଡା ହେଲା । ସୁରକ୍ଷା କର୍ମୀ ମାଡ଼ରେ ଜଣେ ଆନ୍ଦୋଳନକାରୀ ଗୁରୁତର ଭାବେ ଅଭିଯୋଗ ହୋଇଛି । ସଂପୃକ୍ତ ସୁରକ୍ଷା କର୍ମୀଙ୍କୁ ଖୋଜି ଖୋଜି ନିର୍ଦ୍ଦେଶଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଆନ୍ଦୋଳନକାରୀ । ଏହାରି ଭିତରେ ଶିଶୁର ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରୋଗୀ ସେବାରେ କୌଣସି ଅବହେଳା ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ମାମଲାର ଗୁରୁତ୍ୱକୁ ଦେଖି ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଭିତ୍ତିଭୂମି ଯେତିକି ବଢୁଛି, ରୋଗୀ ସେବା ସେତିକି କମୁଛି । ତା ସାଙ୍ଗରେ ପୁଣି ହସ୍ପିଟାଲରେ ନିୟୋଜିତ ଘରୋଇ ସୁରକ୍ଷା କର୍ମୀଙ୍କ ଦାଦାଗିରି ଯୋଗୁଁ ରୋଗୀ ଓ ସମ୍ପର୍କୀୟ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।