ଖୋଲିଲା ସରକାରଙ୍କ ଦୋମୁହାଁ ନୀତି, କୁଆଡ଼େ ଗଲା ଅଢ଼େଇ ଲକ୍ଷ ଚାକିରି ?

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି।ଅନ୍ୟପଟେ ନିଶାମୁକ୍ତିକୁ ନେଇ ଗଣଦୌଡ଼। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଯୁବବର୍ଗଙ୍କ ଭବିଷ୍ୟତକୁ ସରକାର ଅନ୍ଧକାରକୁ ଠେଲି ଦେଇଥିବା ଅଭିଯୋଗ କରିଛି ଦଳ। ଯୁବ ପିଢ଼ି ବେରୋଜଗାର ସହ ଅସୁରକ୍ଷିତ ହୋଇପଡିଲେଣି।ତେଣୁ ସରକାର ଦେଇଥିବା ପ୍ରତିଶ୍ରୁତି ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ଏଥି ସହିତ ଖୁବଶୀଘ୍ର ରାଜ୍ୟରେ ଏକ ବିଶାଳ ବେକାରୀ ସମ୍ମିଳନୀ କରିବାକୁ ଘୋଷଣା କରିଛି ବିଜେଡି।
ରାଜ୍ୟରେ ବନ୍ଦ ପଡିଥିବା ମଦ ଦୋକାନ ଖୋଲିବାକୁ ହେଲା ଘୋଷଣା। ଆଉ ଅନ୍ୟପଟେ ନିଶାମୁକ୍ତି ପାଇଁ ଗଣଦୌଡ଼ର ଆୟୋଜନ। ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ୧୫ ମାସ ହେବ ସରକାରରେ ଯୁବ ପିଢ଼ି ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ଆଣିପାରିଲାନି ବିଜେପି। ଯୁବ ପିଢ଼ିଙ୍କ ପାଇଁ କୌଣସି ଆକ୍ସନ ପ୍ଲାନ କି ରୋଡ଼ମ୍ୟାପ ନାହିଁ। ଓଡ଼ିଶାରେ ବେକାରୀ ସମସ୍ୟା ଶୀର୍ଷରେ। ନିଶାଖୋରଙ୍କ ସଂଖ୍ୟା ବଢିଚାଲିଛି। ସବୁ କ୍ଷେତ୍ରରେ ଯୁବବର୍ଗ ଅବହେଳିତ। ଏଭଳି ସ୍ଥିତିରେ ଦିଶାହୀନ ଗଣଦୌଡ଼ କରିଛନ୍ତି ସରକାର।
ଏହା ମରୀଚିକା ପଛରେ ଦୌଡ଼ିବା ସଦୃଶ ହୋଇଛି। ଗଣଦୌଡ଼ରେ ନିଶାମୁକ୍ତ ଭାରତ ଗଠନ ଥିଲା ସ୍ଲୋଗାନ। କିନ୍ତୁ ସେହି ସମୟରେ ୭୦ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି। ଧର୍ମସ୍ଥଳୀ ଓ ଶିକ୍ଷାନୁଷ୍ଠାନ ପାଖରେ ଯେଉଁ ମଦ ଦୋକାନ ଥିଲା ସେସବକୁ ବନ୍ଦ କରିଥିଲା ପୂର୍ବ ସରକାର।ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି ବିରୋଧୀ ବିଜେଡି। ଦୁଇ ବର୍ଷ ଭିତରେ ଦେଢ଼ ଲକ୍ଷ ଚାକିରୀ ଦେବେ କହିଥିଲେ। ୫୭ ହଜାର ଚାକିରି ଦେଇଛନ୍ତି କହୁଛନ୍ତି। ଏନେଇ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛି ବିଜେଡି।
ପୂର୍ବ ସରକାରଙ୍କ କାଳରେ କେତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।ଏବେ କ୍ରୀଡା ଭିତ୍ତିଭୂମି ରୁଗ୍ଣ।ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଥିଲା। କିନ୍ତୁ ଏବେ ରୋଜଗାର କମିଗଲାଣି।ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ମାରାଥନ ନକରି ଯେଉଁ ଦୁଷ୍କର୍ମ ଚାଲିଛି ତାକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି। ରାଜ୍ୟରେ ଖୁବଶୀଘ୍ର ଏକ ବିଶାଳ ବେକାରୀ ସମ୍ମିଳନୀ କରିବାକୁ ଘୋଷଣା କରିଛି ଦଳ। ବିଜୁ ଯୁବ ଜନତା ଦଳ ଏହାର ଆୟୋଜନ କରିବ।ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି ତାହାର ପର୍ଦ୍ଦାଫାସ କରାଯିବ ବୋଲି ଚେତାବନୀ ଦେଇଛି ଦଳ।ଅନ୍ଯପଟେ ମଦ ଦୋକାନ ଖୋଲିବା ଅବକାରୀ ବିଭାଗର ନିଷ୍ପତ୍ତି ବୋଲି କହିଛନ୍ତି କ୍ରୀଡା ଓ ଯୁବସେବା ମନ୍ତ୍ରୀ। ରାଜ୍ୟରୁ ବଡ଼ ବଡ଼ କମ୍ପାନୀ ମୁହଁ ଫେରାଇଲେଣି। ୧୬ ଲକ୍ଷ କୋଟିର ନିବେଶ ଆସିବ କହିଥିଲେ। କିନ୍ତୁ ଶିଳ୍ପ ସଂସ୍ଥା କେତେ ନିବେଶ କଲେଣି ବୋଲି ଉଠିଛି ପ୍ରଶ୍ନ।