ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ । ଆଖି ଝଲସା ତୋରଣ ସାଙ୍ଗକୁ ଦେବୀ ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତ ପୂଜା ମଣ୍ଡପ । ଚଳିତବର୍ଷ ଭୁବନେଶ୍ବରରେ ପ୍ରାୟ ୧୭୨ ମଣ୍ଡପରେ ଆୟୋଜିତ ହେବ ପୂଜା ଉତ୍ସବ । ସହିଦ ନଗରରେ କାଳ୍ପନିକ ତୋରଣ ଭିତରେ ପୂଜା ପାଇବେ ମାଆ । ସେପଟେ କିସ୍ ରୋଡରେ କାଇନାଟିକ ଓଲ୍ଫ ଆକୃତିର ବିଶାଳ ତୋରଣ ଦେଖିବେ ସହରିଆ ।
ଆସୁଛନ୍ତି ମହାମାୟା । ମାଆଙ୍କ ଆବାହନ ପାଇଁ ସଜେଇ ହେଲାଣି ରାଜଧାନୀ । ଚଳିତବର୍ଷ ୪୮ ବର୍ଷରେ ପାଦ ଥାପିଛି ସହିଦ ନଗର ଦୁର୍ଗାପୂଜା କମିଟି । ଏଥର କାଳ୍ପନିକ ତୋରଣରେ ପୂଜା ପାଇବେ ମାଆ । ଆଖି ଝଲସା ତୋରଣ, ନୂଆ ଥିମର ସାଜସଜ୍ଜା । ତୋରଣର ଉଚ୍ଚତା ୮୫ ଫୁଟ୍ ଓ ଚଉଡ଼ା ୧୩୦ ଫୁଟ୍ । ମେଢର ଉଚ୍ଚତା ୧୮ ଫୁଟ ରହିଛି । ଆକର୍ଷଣ ସାଜିବ ମାଆଙ୍କ ଚାନ୍ଦିମେଢ । ଲାଗିବ ଦେଢ କୁଇଣ୍ଟାଲରୁ ଅଧିକ ରୁପା ସାମଗ୍ରୀ । ଷଷ୍ଠୀଠାରୁ ପୂଜା ଆରମ୍ଭହେବ ପ୍ରତ୍ୟେକ ଦିନ ୧୫ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ପୂଜା ମଣ୍ଡପକୁ ଜଗିବ ଏଆଇ କ୍ଯାମେରା । ମଣ୍ଡପ ପରିସରରେ ପ୍ରାୟ ଶହେଟି କ୍ଯାମେରା ଲାଗିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଶହେରୁ ଅଧିକ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀଙ୍କ ସହ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ ହେବେ ।
ଭୁବନେଶ୍ୱର କିସ ରୋଡରେ ତୃତୀୟ ବର୍ଷରେ ପାଦ ଥାପିଛି କଳିଙ୍ଗ ଦୁର୍ଗାପୂଜା କମିଟି । ଏଥର କାଇନେଟିକ ଓଲ୍ଫ ଆକୃତିର ବିଶାଳ ତୋରଣ ଦେଖିବେ ସହରିଆ । ଏହାସହ ଅହମ୍ମଦାବାଦ ପ୍ଲେନ କ୍ରାସ ଓ ଅପରେସନ ସିନ୍ଦୁରର ଦୃଶ୍ୟ ତୋରଣରେ ସ୍ଥାନ ପାଇବ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୪ ରାତି କଳିଙ୍ଗ ଗଣନାଟ୍ୟ ନିଜ ଅପେରା ମଞ୍ଚସ୍ଥ କରିବ । ଚଳିତବର୍ଷ ୬୨ ଫୁଟର ରାବଣ ପୋଡି କରାଯିବ । ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ପାଇଁ କରାଯାଇଛି ବ୍ଯାପକ ବ୍ଯବସ୍ଥା ।
ମାର୍ଗଦର୍ଶିକାକୁ ମାନି ଶ୍ରଦ୍ଧାଳୁ, ପୂଜା କମିଟି, ସଂଘ, କ୍ଲବ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜାର ଆନନ୍ଦ ଉପଭୋଗ କରିବା ସହ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ବିଏମସି ଅପିଲ କରିଛି ।