ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ, ଏଯାଏଁ ଲାଗିନି ସିସିଟିଭି

ନନ୍ଦିଘୋଷ ବ୍ୟୁରୋ: ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ । ପ୍ରବେଶ ପଥ ଗୁଡିକରେ ଏଯାଏଁ ଲାଗିନି ସିସିଟିଭି । ଫଳରେ ବେଧଡ଼କ ଅପରାଧ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି ଅପରାଧି । ଆଗକୁ ପାର୍ବଣ ଆସୁଥିବା ବେଳେ ଏସବୁ ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ସହରବାସୀ । ଅନ୍ୟପଟେ ଖୁବଶୀଘ୍ର ସହରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଜି ।

ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ । ଅନେକ ସ୍ଥାନରେ ଏଯାଏଁ ଲାଗିନି ସିସିଟିଭି । ଲାଗିଥିବା ଅନେକ କ୍ୟାମେରା ଅଚଳ ହୋଇପଡିଛି । ଫଳରେ ସହରରେ ବେଧଡକ ଚାଲିଛି ଛିନତାଇ, ଲୁଟ, ଡକାୟତି, ବ୍ରାଉନସୁଗାର ବେପାର। କ୍ରାଇମ କରିବା ପରେ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି କ୍ରିମିନାଲ । ଅନେକ ଘଟଣାରେ ପୋଲିସ ଅପରାଧିଙ୍କ ଟେର ପାଉନି । ଅନ୍ୟପଟେ ବିଭିନ୍ନ କ୍ରାଇମର ଶିକାର ହେଉଥିବା ପୀଡିତ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ସହରରେ ଶୀଘ୍ର ସିସିଟିଭି ବ୍ୟବସ୍ଥାକୁ ମଜଭୂତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଭଦ୍ରକ ସହରର ଆରଡ଼ି ଛକ, ବନ୍ତ ଛକ, ବାଇପାସ, ଚରମ୍ପା ଆଦି ପ୍ରମୁଖ ପ୍ରବେଶ ପଥ । ସେହିପରି କଲେଜ ଛକ, ରାଜଘାଟ ଛକ, ନୂଆ ବସଷ୍ଟାଣ୍ଡ ଆଦି ସ୍ଥାନ ମାନଙ୍କରେ ବିଭିନ୍ନ ସମୟରେ ଅପରାଧ ଘଟି ଚାଲିଛି । ଏହି ସବୁ ଛକ ମାନଙ୍କରେ ସିସିଟିଭି ନିହାତି ଆବଶ୍ୟକ । ଅନ୍ୟପଟେ ପାର୍ବଣ ପୂର୍ବରୁ ସହରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଜି। ସହରରେ କେବେ ସିସିଟିଭି ବ୍ୟବସ୍ଥା ସୁଦୃଢ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।