ପୁଣି ଆନ୍ଧ୍ରର ମନମାନି, ଓଡିଆ ପିଲାଙ୍କୁ ପଢାଉଛି ତେଲୁଗୁ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ଭିତରକୁ ମାଡି ଆସୁଛି ଆନ୍ଧ୍ର । କୋଟିଆ ପଞ୍ଚାୟତର ନେରେଡିବାଲ୍ସ, ଧୂଳିପଦର, ଗଞ୍ଜେଇପଦର, ଉପରସେମ୍ବୀ, ତଳସେମ୍ବୀ, ଫଗୁଣ ସିନେରୀ ଗାଁରେ ସ୍କୁଲ ଖୋଲି ପିଲାଙ୍କୁ ତେଲୁଗୁରେ ପାଠ ପଢାଉଛି ଆନ୍ଧ୍ର ସରକାର । ଓଡ଼ିଆ ଭାଷା ବୁଝୁନାହାଁନ୍ତି କୁନିକୁନି ପିଲା । ଘଟଣାକୁ କୋଟିଆ ସରପଞ୍ଚ ନିନ୍ଦା କରିବା ସହ ବେଳ ଥାଉଥାଉ ଓଡିଶା ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଆନ୍ଧ୍ରର ମନମାନି । ଓଡିଆ ପିଲାଙ୍କୁ ପଢାଉଛି ତେଲୁଗୁ  । ଟଙ୍କା ଲୋଭ ଦେଖାଇ କରୁଛି ଆନ୍ଧ୍ରମୁହାଁ । କୋଟିଆରୁ ଓଡ଼ିଆ ଭାଷାକୁ ବିଲୁପ୍ତ ସକାଶେ ଆନ୍ଧ୍ର କରୁଛି ଷଡଯନ୍ତ୍ର । ଆନ୍ଧ୍ରସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ନେରେଡିବାଲ୍ସ. ଉପରସେମ୍ବୀ, ତଳସେମ୍ବୀ, ଧୂଳିପଦର, ଗଞ୍ଜେଇପଦର, ଫଗୁଣ ସିନେରୀ ଗାଁରେ ଆନ୍ଧ୍ର ଚକ୍ରାନ୍ତ ଚଲାଇଛି । ଏହି ସମସ୍ତ ଗାଁରେ ସ୍କୁଲ ଖୋଲି ଶିକ୍ଷକ ନିଯୁକ୍ତି କରି ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି । ଫଳରେ କୁନିକୁନି ପିଲା ଆଉ ଓଡିଆ ଭାଷା ବୁଝିବା ସ୍ଥିତିରେ ନାହାନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶ ସ୍କୁଲରେ ନାମ ଲେଖାଉଥିବା ପ୍ରତି ପିଲାଙ୍କ ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇ ପ୍ରଲୋଭିତ କରୁଛି । ଫଳରେ ଅଭିଭାବକ ମାନେ ଆନ୍ଧ୍ର ମୁହାଁ ହେଉଛନ୍ତି । କୋଟିଆରେ ପିଲାଙ୍କ ପାଠପଢା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତାଡ଼ିବାଲସା ଗାଁରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, କୋଟିଆରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଞ୍ଜେଇ ପଦର ଗାଁରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ତଥାପି ପିଲା ଆନ୍ଧ୍ର ଦ୍ବାରା ପ୍ରଲୋଭିତ ହେଉଛନ୍ତି ।

କୋଟିଆରେ ଆନ୍ଧ୍ର ପରିଚାଳିତ ସ୍କୁଲକୁ ପ୍ରତିଦିନ ଆନ୍ଧ୍ରରୁ ଶିକ୍ଷକ ଆସୁଛନ୍ତି । କେବଳ ଶିକ୍ଷା ନୁହେଁ ତେଲୁଗୁ ଢଙ୍ଗରେ ମଧ୍ୟାହ୍ନ ଭୋଜନ ବି ଦିଆଯାଉଛି । ଖଟା ଭାତ, ତରକାରୀ, ଅଣ୍ଡା ସହ ବାଦାମ ମିଠା ପ୍ରଦାନ କରାଯାଉଛି । କୋଟିଆରେ ଆନ୍ଧ୍ର ଅଙ୍ଗନବାଡି ବି ଚାଲିଛି। ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି। ଆନ୍ଧ୍ରର ମନମାନିକୁ ରୋକା ନଗଲେ ଆଗାମୀ ଦିନରେ କୋଟିଆରେ ଓଡ଼ିଆ ଭାଷା ବିପର୍ଯ୍ୟୟର ହେବ ସମ୍ମୁଖୀନ।